ମୋରମ ଖଣିରେ ଟାଙ୍ଗୀ ପୋଲିସ ଚଢ଼ାଉ : ୬ ହାଇୱା ଗୋଟିଏ ପୋକଲିନ ଜବତ,୭ ଗିରଫ।



ଟାଙ୍ଗୀ,(ଉତ୍କଳ ନ୍ୟୁଜ୍୭)୨୯/୦୭:ଟାଙ୍ଗୀ ତହସିଲର ବିଭିନ୍ନ ସ୍ଥାନରେ ଓ ଚିଲିକା ତହସିଲର ଚଣ୍ଡେଶ୍ୱର ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରା ମାଙ୍କଡା ପଥର ଓ ମୋରମ ଚାଲାଣ।ଏବେ ଟାଙ୍ଗୀ ଥାନା ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଓ ମୋରମ ଚାଲାଣ ବନ୍ଦ କରିବା ଲାଗି ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ।ଟାଙ୍ଗୀ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ ପରେ ବେଆଇନ ଖଣି ମାଫିଆ ଏବେ ସମ୍ପୂର୍ଣ ଭାବେ ଆତଙ୍କିତ। ପ୍ରତି ମୁହୂର୍ତ୍ତରେ ପୋଲିସ ଗିରଫଦାରୀ କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ଏହି ବେଆଇନ ଖଣି ମାଫିଆଙ୍କ ମଧ୍ୟରେ । ଶ୍ରୀ ବିଶ୍ଵାଳ ବେଆଇନ ଟାଙ୍ଗୀ ଅଞ୍ଚଳରୁ ପଥର ଖନନକୁ ବନ୍ଦ କରିବା ପାଇଁ ଯୋରଦାର ଚଢାଉ ଜାରି ରଖି ଥିବାରୁ ବର୍ତ୍ତମାନ ମାଙ୍କଡ଼ା ପଥର ଚୋରା ଚାଲାଣ ଏକରକମ ଭାବେ  ବନ୍ଦ ରହିଥିବା ଜଣାପଡିଛି । ତେବେ ପ୍ରଶାସନର ସମସ୍ତ କଟକଣାକୁ ବେଖାତିର କରି ଗତକାଲି  ସିପି ଆରୋରା କମ୍ପାନୀ ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ କରୁଥିବାର ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ଅଧିକାରୀ ଶ୍ରୀ ବିଶ୍ଵାଳ ସଦଳ ବଳେ ବେଆଇନ ମୋରମ ଖଣିରେ ଚଢାଉ କରି ଛଅ ଗୋଟି ମୋରମ ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ଜବତ କରିବା ସହ ଘଟଣା ସ୍ଥଳରୁ  ସାତ ଜଣ ଗାଡି ଚାଳକଙ୍କୁ ଗିରଫ କରିଛନ୍ତି ।ଗିରଫ ଗାଡି ଚାଳକ ମାନେ ହେଲେ ଝାଡଖଣ୍ଡ ରାଜ୍ୟ କୋଡରମା ଅଞ୍ଚଳର କୁମାର ଯାଦବ(୨୫) , ରଘୁବୀର ଯାଦବ ବୟସ(୨୭) ଏବଂ ନରେଶ କୁମାର ସିଂ (୨୩) ଓ ବିହାର ୱୌରଙ୍ଗାବାଦ୍ ର ଦୁର୍ଗା କୁମାର ଯାଦବ(୨୮) ବର୍ଷ ସହିତ ଉତ୍ତର ପ୍ରଦେଶ ସୋନଭଦ୍ରା ଅଞ୍ଚଳର  ଅରବିନ୍ଦ(୨୬), ରାମ ପତି(୩୧) ପୋଲିସ ହାତରେ ଧରା ପଡିଛନ୍ତି । ସେହିପରି ଆଉଜଣେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର  ଶେଷଦେବ ନାୟକ(୨୮) ବୋଲି ଜଣାପଡିଛି । ଜବତ ଗାଡି ଗୁଡିକ ୧୬ନମ୍ବର ଜାତୀୟ ରାଜପଥ ନିର୍ମାଣରେ ନିଯୁକ୍ତ ଠିକା ସଂସ୍ଥା  ସିପି ଆରୋରା କମ୍ପାନୀର ବୋଲି ସୂଚନା ମିଳିଛି । ଜବତ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ଚାଲିଥିବା ବେଳେ ଗିରଫ ହୋଇଥିବା ସମସ୍ତ  ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଟାଙ୍ଗୀ ପୋଲିସ ୩୯୪/୨୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Previous Post Next Post