ବାହାଘର ପରେ ବେଦୀମୁହଁ ପୋଡ଼ା ପରି ଏବେ ଖୋର୍ଦ୍ଧା ହାବେଳୀ ପଡ଼ିଆ ।

utkalnews7
By
0


ଖୋର୍ଦ୍ଧା,୨୫।୧୨,(ଉତ୍କଳ ନ୍ୟୁଜ୍୭) : ଚଳିତ ମାସ ୧୪ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିୟୁ ଥିକିଙ୍ଗ ଫୋରମ୍ ଆନୁକୂଲ୍ୟରେ ସ୍ଥାନୀୟ ହାବେଳୀ ପଡିଆରେ ଦୀର୍ଘ ଏକ ସପ୍ତାହ ବ୍ୟାପୀ ଖୋର୍ଦ୍ଧା ମହୋତ୍ସବ ପାଳିତ ହୋଇଥିବା ବେଳେ ଗତ ବୁଧବାର ଅପରାହ୍ନରେ ଏହାର ଉଦଯାପନୀ ଉତ୍ସବ ବହୁ ଧୁମ୍ ଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଶେଷ ଦିନରେ ହାବେଳୀ ପଡ଼ିଆ ଲୋକାରଣ୍ୟ ହୋଇଥିବା ବେଳେ ଉଦଯାପନୀ ସନ୍ଧ୍ୟାରେ ମଞ୍ଚ ଉପରେ ଖୋର୍ଦ୍ଧା ଓ ଜଟଣୀ ବିଧାୟକଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଥିଲା ।ଏହି ଅବସରରେ ମହୋତ୍ସବ କମିଟି ତରଫରୁ ବହୁ ବ୍ୟକ୍ତି ବିଶେଷଙ୍କୁ ଖୋରଧା ଗୌରବ ସମ୍ମାନରେ ସମ୍ମାନିତ ମଧ୍ଯ କରାଯାଇଥିବା ବେଳେ କମିଟି ପକ୍ଷରୁ ସହର ମଧ୍ୟରେ ଥିବା କିଛି ବୃଦ୍ଧାଶ୍ରମର ଉନ୍ନତି ଉଦ୍ଦେଶ୍ୟରେ ତିନିଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଘୋଷଣାକୁ ସ୍ଥାନୀୟ ଜନ ସାଧାରଣ ସ୍ବାଗତ ଜଣାଇଥିଲେ।


ହେଲେ ମହୋତ୍ସବ ପାଳନକୁ କମିଟିର ଅବ୍ୟବସ୍ଥା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମଞ୍ଚ ଉପରେ ରାଜ୍ୟର ଚର୍ଚ୍ଚିତ ବିଷୟ ପାଲଟିଥିବା ଅର୍ଚ୍ଚନା ନାଗ ମାମଲାରେ ବିବାଦୀୟ ହୋଇ ପଡିଥିବା ଚଳଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଉପସ୍ଥିତି ଉପସ୍ଥିତ ଦର୍ଶକ ମହଲରେ କୌତୁହଳ ସୃଷ୍ଟି କରିଥିଲା ।


ଏ ପଟେ ଉଦଯାପନୀ ସନ୍ଧ୍ୟାକୁ ତିନିଦିନ ବିତି ଯାଇଥିଲେ ସୁଦ୍ଧା କୁଢ଼ କୁଢ଼ ଅଳିଆରେ ଭର୍ତ୍ତି ହୋଇ ପଡ଼ି ରହିଛି ହାବେଳୀ ପଡ଼ିଆ । ଅଳିଆ ସଫା କୁ ନେଇ ନା ଅଛି ଆୟୋଜକଙ୍କ ଆନ୍ତରିକତା ନା ସହର ସାରା ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ପୌର ପ୍ରଶାସନର ତତ୍ପରତା ।ମହୋତ୍ସବ ପୁର୍ବରୁ କାର୍ଯ୍ୟକ୍ରମ ପାଳନ ନିମନ୍ତେ ଯେଉଁ ପ୍ରକାର ଆନ୍ତରିକତା ପଡ଼ିଆ ସମେତ ଚତୁର୍ପାର୍ଶ୍ଵର ସଫେଇ କରଣକୁ ନେଇ, ସେ ତତ୍ପରତା କାର୍ଯ୍ୟକ୍ରମ ସରିବା ପରେ ଦେଖାଯାଉନାହିଁ । 


ମହୋତ୍ସବ କମିଟିର ଜଣେ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଡ଼ିଆକୁ ସଫା କରାଯାଉଥିବା ମହୋତ୍ସବ ପୁର୍ବରୁ ଦେଖିବାକୁ ମିଳିଥିଲା ବେଳେ ବର୍ତ୍ତମାନ ସେଠାରେ ନା ତାଙ୍କର ଦର୍ଶନ ମିଳୁଛି ନା କୌଣସି ସଫେଇ ଦାୟିତ୍ୱରେ ନିୟୋଜିତ ପୌର ପରିଷଦର କୌଣସି ଜଣେ ହେଲେ ବି କର୍ମଚାରୀଙ୍କ ପାଦ ପଡ଼ିନାହିଁ। ତେଣୁ ଓଡିଆରେ ଥିବା ଢଗ ଢମାଳି " ବାହାଘର ପରେ ବେଦୀମୁହଁ ପୋଡ଼ା" କଥା ଟି ଏବେ ସ୍ଥାନୀୟ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି।

Post a Comment

0 Comments

Please Select Embedded Mode To show the Comment System.*