ସୂଚନା ଓ ଲୋକସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା।

utkalnews7
By
0


ଭୁବନେଶ୍ୱର,୨।୧,(ଉତ୍କଳ ନ୍ୟୁଜ୍୭) : ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ବିଭିନ୍ନ ଉପଖଣ୍ଡ ସମେତ ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ରାଜ୍ୟସ୍ତରରେ ସୂଚନା ଅଧିକାରୀମାନେ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । କିନ୍ତୁ ସେମାନଙ୍କର କାର୍ଯ୍ୟକୁ ଆହୁରି ଭଲ ଭାବେ ନିର୍ବାହ କରିବାକୁ ଏଣିକି ଧାର୍ଯ୍ୟ ଲକ୍ଷ୍ୟ ନେଇ ଅଧିକାରୀମାନେ କାର୍ଯ୍ୟକରିବାକୁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି । ବର୍ଷର ପ୍ରଥମ କାର୍ଯ୍ୟ ଦିବସରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗ ପରିଦର୍ଶନ କରିଥିବା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ ଏବଂ ସଚିବ ମଧ୍ୟ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଏହି ଅବସରରେ ଆୟୋଜିତ ସଭାରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଯୋଗଦେଇ ବିଭାଗର ଅଧିକାରୀମାନଙ୍କୁ କହିଲେ ଯେ, ଜିଲ୍ଲାରେ ରାଜ୍ୟ ସରକାରଙ୍କର ବହୁ ଭଲ ଭଲ କାର୍ଯ୍ୟ କରାଯାଉଛି । ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି ପ୍ରତି ମାସରେ ଅନ୍ତତଃ ଗୋଟିଏ ଲେଖାଏଁ ଭଲ ସଫଳ କାହାଣୀ ବିଭାଗକୁ ପଠାନ୍ତୁ ଯାହା ଦ୍ୱାରାକି ଏହା ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁରେ ପ୍ରକାଶନ ହୋଇପାରିବ । ସେହିପରି ରାଜ୍ୟସ୍ତରରେ କାର୍ଯ୍ୟରତ ସୂଚନା ଅଧିକାରୀମାନେ ସେମାନଙ୍କୁ କାର୍ଯ୍ୟନ୍ୟସ୍ତ କରାଯାଇଥିବା ବିଭାଗରୁ ପ୍ରତି ମାସରେ ଅନ୍ତତଃ ଗୋଟିଏ ଲେଖାଏଁ ସଫଳ କାହାଣୀ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପ୍ରେରଣ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ସବୁ ସଫଳ କାହାଣୀକୁ ନେଇ ବିଭାଗ ଦ୍ୱାରା ଏକ ସଂକଳନ ପ୍ରକାଶନ କରିବାକୁ ସେ କହିଥିଲେ । ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ତରଫରୁ ବାର୍ଷିକ ପ୍ରଶିକ୍ଷଣ ମୋଡ୍ୟୁଲ ପ୍ରସ୍ତୁତ କରାଯିବା, ଅନ୍ୟ ରାଜ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ କିପରି କାର୍ଯ୍ୟ କରୁଛନ୍ତି, ତାହାର କାର୍ଯ୍ୟଶୈଳୀ ଏବଂ ଭଲ କାର୍ଯ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଅଧିକାରୀମାନଙ୍କୁ ଅନ୍ୟ ରାଜ୍ୟ ପରିଦର୍ଶନରେ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବା ସହିତ ଇତି ମଧ୍ୟରେ ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ଓ କ୍ୟାଡର ପୁନର୍ଗଠନ ହୋଇଥିବା ପ୍ରକାଶ କରିଥିଲେ । ବୈଠକରେ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂ ଏବଂ ବିଶ୍ୱଜିତ ଦାଶଙ୍କ ସମେତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଉପ ନିର୍ଦ୍ଦେଶକ, ବିଭିନ୍ନ ଶାଖାର ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Please Select Embedded Mode To show the Comment System.*