ଟାଙ୍ଗୀ,(ଉତ୍କଳ ନ୍ୟୁଜ୍୭),୧୮।୨: ଆଜି ପବିତ୍ର ଜାଗର ଯାତ୍ରା ଓ ମହାଶିବରାତ୍ରି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବିଭିନ୍ନ ମହାଦେବଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବ ପାଳନ ହେଉଛି। ରଙ୍ଗୀନ ବୈଦ୍ୟୁତିକ ଆଲୋକମାଳା ଓ ଭଳିକି ଭଳି ଫୁଲରେ ମହାଦେବ ମନ୍ଦିରଗୁଡିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ସଜା ହୋଇଛି।ମହାମାରୀ କରୋନା କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ସାର୍ବଜନୀନ ଭାବେ ମହାଶିବରାତ୍ରି ପାଳନ ହୋଇନଥିଲା ବେଳେ ଚଳିତ ବର୍ଷ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଏହି ପବିତ୍ର ଉତ୍ସବ ଧୂମଧାମରେ ପାଳିତ ହେଉଛି। ଟାଙ୍ଗୀ ର ଲୋକନାଥ ଦେବଙ୍କ ପୀଠ, ବିଲ ବାଲୁଙ୍କେଶ୍ୱର ପୀଠ, ବାଲୁଙ୍କେଶ୍ୱର ପୀଠ,ମଙ୍ଗଳାଯୋଡି ର ନୀଳକଣ୍ଠେଶ୍ୱର ଦେବ ପୀଠ,ସୁନ୍ଦରପୁରର ମୁକ୍ତେଶ୍ଵର ପୀଠ,ବଡ଼ପାରୀ ର ନୀଳକଣ୍ଠେଶ୍ୱର ପୀଠ,ଓ ଚିଲିକା ବ୍ଲକ୍ ଚଣ୍ଡେଶ୍ୱରର ବାବା ଚଣ୍ଡିହର ଦେବଙ୍କ ପୀଠରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଜାଗର ଦୀପ ଜାଳିବା ପାଇଁ ଭିଡ଼ ଲାଗି ରହିଥିଲା।ରାତ୍ର ୧ ଘଣ୍ଟିକା ସମୟରେ ମନ୍ଦିରରୁ ମହାଦୀପ ଉଠିବ ବୋଲି ସେବାୟତ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରଣପୁର ବ୍ଲକ ଅନ୍ତର୍ଗତ ସମସ୍ତ ଶୈବ ପୀଠଗୁଡିକରେ ଜାଗର ଯାତ୍ରା ଧୁମଧାମରେ ପାଳିତ ହୋଇ ଯାଇଛି। ଏହା ସହିତ ମନ୍ଦିର ପରିସରରେ ସଂକୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରା ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।

0 Comments