ପଞ୍ଚାୟତ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମିସ୍ତ୍ରୀ ର ମୃତ୍ୟୁ,ହେଲପର ଗୁରୁତର।

utkalnews7
By
0

ଟାଙ୍ଗୀ,୫।୭,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ ବେଳେ ଘଟିଛି ଅଘଟଣ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ସୋରଣ ଗ୍ରାମପଞ୍ଚାୟତ ପରିସରରେ ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା। ବିଶ୍ରାମ ଗୃହ ନିର୍ମାଣ ପାଇଁ ଲୁହା ଜିଆଇ ପାଇପ୍ ର ଫ୍ରେମ୍ ତିଆରି କରିବା ବେଳେ ଗୋଟିଏ ୨୦ ଫୁଟ ଲମ୍ବର ପାଇପ୍ କୁ ୱେଲଡିଂ ମିସ୍ତ୍ରୀ ଓ ହେଲପର ମିଶି ଉପରକୁ ଟେକି ଧରି ୱେଲଡିଂ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧୦୦ ଭୋଲଟ୍ ର ହାଇ ଭୋଲଟେଜ୍ ତାର ଜିଆଇ ପାଇପ୍ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।ମୃତକ ୱେଲଡିଂ ମିସ୍ତ୍ରୀ ଜଣଙ୍କ ହେଲେ ସୋରଣ ଗ୍ରାମର ରସାନନ୍ଦ ମୁଦୁଲି (୧୮)। ଅନ୍ୟ ଗୁରୁତର ଜଣକ ହେଲେ ତାରୁ ଖାଁ (୨୦)। ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।ମୃତ ଯୁବକଙ୍କ ଶବକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଟାଙ୍ଗୀ ଥାନା ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଯୁବକଙ୍କ ମୃତ ଦେହ ସୋରଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତି ପୂରଣ ଦାବିରେ ଗ୍ରାମବାସୀ ମାନେ ଧାରଣାରେ ବସିଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*