ଶୁଖିଲା ପଡ଼ିଛି ଗହୀର ବିଲ, ମରୁଡ଼ି ଘୋଷଣା ନକରି ପମ୍ପ ଯୋଗେ ପାଣି କେନାଲକୁ ଯୋଗାଇବା ପ୍ରତିଶ୍ରୁତି ଦେଲେ : ଜିଲ୍ଲାପାଳ।

utkalnews7
By
0


ଟାଙ୍ଗୀ/ଖୋର୍ଦ୍ଧା,୧୩।୧୧,(ଉତ୍କଳ ନ୍ୟୁଜ୍୭) : ଗତ କିଛିବର୍ଷ ତଳେ ନିରାକାରପୁର ଅଞ୍ଚଳ ଚାଷୀ ମୃତ୍ୟୁକୁ ନେଇ ନେତା ମାନଙ୍କ ରାଜନୈତିକ କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଏଥିଲାଗି ବିଭିନ୍ନ ସ୍ଥାନରେ ନିନ୍ଦିତ ହୋଇଥିଲେ ସରକାର। ହେଲେ ନାଁ ଚେତିଲା କ୍ଷୁଦ୍ର ଜଳ ସେଚନ ବିଭାଗ ନାଁ ଜିଲ୍ଲା ପ୍ରଶାସନର ଏବେ ଉଭୟ ସରକାରଙ୍କୁ ସତେଯେମିତି ବଦନାମ କରିବା ଲାଗି ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ପାଣି ପାଇଁ ଉଜୁଡ଼ିବାକୁ ବସିଲାଣି ଧାନ ଫସଲ। ଏନେଇ ଗତ ୧୧ତାରିଖ ଦିନ ଚାଷୀ ମାନେ ରାଜ ରାସ୍ତାକୁ ଓହ୍ଲାଇଥିଲେ ଏଥିରେ ସହଯୋଗ କରିଥିଲେ କୁମ୍ଭୀର କାନ୍ଦଣା କାନ୍ଦି ନେତା ମାନେ ଓ ମରୁଡ଼ି ଘୋଷଣା ପାଇଁ କରିଥିଲେ ଦାବି।  ଆଜି ଅର୍ଥାତ ୧୩ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ କମିଟି ସହ ବୈଠକରେ ଜିଲ୍ଲାପାଳ ଯୋଗଦେଇ ପମ୍ପ ଯୋଗେ ପାଣି କେନାଲକୁ ଯୋଗାଇବା ପ୍ରତିଶ୍ରୁତି ଦେଇ କ୍ଷତିଗ୍ରସ୍ତ ଗରିବ ଚାଷୀ ମାନଙ୍କୁ ଲଲିପପ୍ ଧରିଥିବା ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି।ସୂଚନାଯୋଗ୍ୟ ଯେ, ମରୁଡି ଘୋଷଣା ପାଇଁ ଗତ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆଞ୍ଚଳିକ ଚାଷୀ କମିଟି ତରଫରୁ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ କିଛି ଅଧିକାରୀ ଆସି  ସୋମବାର  ଦିନ ଜିଲ୍ଲାପାଳଙ୍କ ସହିତ ବୈଠକ ବସିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଆଜି ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ପରେ ଜିଲ୍ଲାପାଳ  ରାମେଶ୍ବର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଥରେ ୨୫ କେଭି ବଦଳରେ ତୁରନ୍ତ ୧୦୦କେଭି ବିଦ୍ୟୁତ୍   ଟ୍ରାନ୍ସଫରମର   ବସାଇ ପମ୍ପ ଯୋଗେ କେନାଲରେ ପାଣି ଯୋଗାଇ ଚାଷ ବଞ୍ଚାଇବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଫସଲ ଅମଳ ପରେ ମରୁଡି ଘୋଷଣା ସହିତ ଅନ୍ୟ ଦାବି ଗୁଡ଼ିକ ପର୍ଯ୍ୟାୟ କ୍ରମେ ବିଚାର କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ପ୍ରକାଶ ଥାଉ କି  ପାଣି ଅଭାବରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳରେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ଚାଷ ଜମି ଶୁଖି ଫାଟି ଆଁ କରି ସାରିଲାଣି। ଧାନ ଥୋଡୁଆ ହେବାକୁ ଯାଉଥିବାବେଳେ ଅଞ୍ଚଳର ଚାଷୀମାନେ ଗତ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଦାଶ ଓ ଉଠା ଜଳସେଚନ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମାଝୀଙ୍କ ସହିତ ସାକ୍ଷାତ କରି ଚାଷ ଜମିକୁ ଜଳ ଯୋଗାଣ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପରେ ଜିଲ୍ଲାପାଳ ତୁରନ୍ତ ମିଳିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଅଧିକାରୀ ମାନେ ଉକ୍ତ ଦିନ ଅଞ୍ଚଳକୁ ଉକ୍ତ ଅଧିକାରୀ ମାନଙ୍କ ସହିତ ଆସି ତଦନ୍ତ କରି ଫେରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଦାବିପତ୍ର ଦେବାର ସପ୍ତାହେ ବିତି ଯାଇଥିଲେ ବି କୌଣସି ପଦକ୍ଷେପ ନ ନିଆଯିବାରୁ ୯ ତାରିଖ ରେ ଚାଷୀ ମାନେ ଏକଜୁଟ ହୋଇ ୨୪ ଘଣ୍ଟାର ମହଲତ ଦେଇ ଏକ ଦାବିପତ୍ର ସ୍ଥାନୀୟ ପୋଲିସକୁ ପ୍ରଦାନ କରିଥିଲେ। ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ଶନିବାର ୧୧ ତାରିଖ ଦିନ ପ୍ରତିବାଦ ସଭା ଓ ଗଣଧାରଣା ସହିତ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯିବ ବୋଲି ଜଣାଇଥିଲେ ଓ ୧୧ ତାରିଖ ରେ ଶତାଧିକ ଚାଷୀ ବିଭିନ୍ନ ନାରାବାଜି ଦେଇ କେନାଲରେ ଜଳ ଯୋଗାଣ ଓ ମରୁଡି ଘୋଷଣା ସହିତ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ଆଜି ଜିଲ୍ଲାପାଳଙ୍କୁ ଆଞ୍ଚଳିକ ଚାଷୀ କମିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ବିପିନ କୁମାର ଜୟସିଂହ, ଜିଲ୍ଲା ପରିଷଦ ସଭ୍ୟ ବିଜୟକୁମାର ପାଲଟାସିଂହ, ହୃଷୀକେଶ ରାଉତରାୟ, ଯୁବ ନେତା ପ୍ରଭାତ କୁମାର ସ୍ୱାଇଁ, ଡିଆ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, ଲେଣ୍ଡୁ   ସରପଞ୍ଚ ବିନୋଦିନୀ ଦାଶ  , ନୃସିଂହ ଚରଣ ରାଉତରାୟ, , ଡମ୍ବରୁଧର ପରିଡା, କୈଳାଶ ଚନ୍ଦ୍ର ସାହୁ, ରବି ମାଝୀ ଓ ଧନଞ୍ଜୟ ପାଟ୍ଟଶାଣୀ ପ୍ରମୁଖ  ଚାଷୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ବେଳେ ଚାଷୀ ମାନେ ମରୁଡ଼ି ଘୋଷଣା ଦାବିରେ ଅଟଳ ରହିଥିବା ନିରାକାରପୁର ଅଞ୍ଚଳରେ ଚର୍ଚ୍ଚା ହେଉଛି।ଏବେ ଦେଖିବାକୁ ବାକି ରହିଲା କେବେ ରାମେଶ୍ବର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଉପରେ ଜଳ ସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନର ଶୁଭ ଦୃଷ୍ଟି  ପଡ଼ୁଛି ଏବଂ ମରୁଡ଼ି ଘୋଷଣା ହେଉଛି।

Post a Comment

0 Comments

Please Select Embedded Mode To show the Comment System.*