
ଭୁବନେଶ୍ୱର, ୪।୪: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶକ୍ତିକାନ୍ତ ଦାସ। ଏଠାରେ ସେ ବିଭିନ୍ନ ଅତ୍ୟାଧୁନିକ ଲାବୋରେଟୋରି ବୁଲି ଦେଖିଥିଲେ। ଏହି କେନ୍ଦ୍ର ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ।ଯୁବପିଢ଼ିଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ ସର୍ଭିସେସ୍’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଏହା ଭିତରୁ ଶ୍ରୀ ଦାସ ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ,ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ବ୍ୟୁଟି ଆଣ୍ଡ ୱେଲନେସ ଏବଂ ସ୍କୁଲ ଅଫ୍ ହସ୍ପିଟାଲିଟି ଆଦି ବିଭାଗ ବୁଲି ଦେଖିଥିଲେ। ଏହି ପରିଦର୍ଶନ ବେଳେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଯୋଗ ଦେଇଥିଲେ।ବୈଠକରେ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ଢାଞ୍ଚାରେ ତାଲିମ ପ୍ରଦାନ କରି ଆସନ୍ତା କାଲିର ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଉପରେ ଦିଆଯାଉଛି। ସେହିପରି ସରକାର, ଶିଳ୍ପ ସଂସ୍ଥା ଏବଂ ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଦକ୍ଷତା ବିକାଶ କ୍ଷେତ୍ରକୁ ନୂଆ ଶିଖରକୁ ନେବା ଉପରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ପିନାକୀ ପଟ୍ଟନାୟକ ଏବଂ ଅଧ୍ୟକ୍ଷ ଡକ୍ଟର ଶୁଭାଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ।
0 Comments