
ନୟାଗଡ, ୧୬।୮,(ଉତ୍କଳ ନ୍ୟୁଜ୍୭):ନୟାଗଡ ଜିଲ୍ଲାର ତିନୋଟି ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି ।ମହାନଦୀରେ ଜଳସ୍ତର ବଢୁଥିବାରୁ ଏହାର ପ୍ରଭାବରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ ବଡମୁଳ ରାସ୍ତାର ରାସଙ୍ଗ ଏବଂ କଳାପାଟ ଠାରେ ରାସ୍ତାରେ ୬ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ କିଶୋରପ୍ରସାଦ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତର ୩ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି।ସେଇଭଳି ରାସଙ୍ଗ ଠାରେ ଯାତାୟତ ପାଇଁ ପ୍ରଶାସନ ତରଫରୁ ଏକ ମୋଟର ବୋଟ୍ ପକାଯାଇଛି । ଭାପୁର ବ୍ଲକରେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ବ୍ଲକର କରବର ପଞ୍ଚାୟତର କରବର , ମାଣିତ୍ରୀ , ବଡବର , ନଣ୍ଡାବର ଏବଂ ଗୁଦୁପଡା ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଥିବା ବେଳେ ମଣିପୁର ଗାଁ ମଧ୍ୟ ପାଣି ଘେରରେ ରହିଛି । କାଳିଗିରି ନଦୀରେ ବନ୍ୟାଜଳ ଆସିବାରୁ କାଳିଗିରି ବ୍ରିଜ୍ ଉପରେ ୧୦ ଫୁଟ୍ ରେ ପାଣି ପ୍ରବାହିତ ହେଉଛି । ଫଳରେ ଖଣ୍ଡପଡା-ଭୁବନେଶ୍ବର ରାସ୍ତାରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି । ମାଣିତ୍ରି ଗାଁରେ ୩ଫୁଟରୁ ଅଧିକ ବନ୍ୟାଜଳ ରହିଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛି । ସେପଟେ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ପ୍ରଶାସନ । ଗଣିଆ ବ୍ଲକର ୯ଟି , ଖଣ୍ଡପଡା ବ୍ଲକର ୯ଟି ଏବଂ ଭାପୁର ବ୍ଲକର ୧୨ଟି ବିଦ୍ୟାଳୟରେ ପାଠପଢା ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଏବେ ଲୋକ ମାନେ ଭୟବିତ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବନ୍ୟା ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି।
0 Comments