ବାଲୁଗାଁ ଏନଏସି କାର୍ଯ୍ୟାଳୟ ଘେରିଲେ, ଠିକା ସଫେଇ କର୍ମଚାରୀ।

utkalnews7
By
0


ବାଲୁଗାଁ,୨୬।୮,(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟ ଆଜି ପୂର୍ବାହ୍ନରେ ଶତାଧିକ ଠିକା ସଫେଇ କର୍ମଚାରୀ ଘେରାଉ କରିଛନ୍ତି। ଯାହାଫଳରେ ଏନଏସି କାର୍ଯ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି।ସହରର ସ୍ଵଚ୍ଛତା ଓ ପରିମଳ ବ୍ୟବସ୍ଥା ବିକଶିତ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏହାର ଘୋର ଅନିୟମିତତା ବାଲୁଗାଁ ଏନଏସିରେ ଦେଖିବାକୁ ମିଳୁଛି। ସ୍ଵଚ୍ଛତା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସାମଗ୍ରୀ ସାଙ୍ଗକୁ ଅନେକ କର୍ମଚାରୀ ନିୟୋଜିତ କରିଆସୁଛନ୍ତି। ଏପରିକି ଆଧୁନିକିକରଣ ଉପାୟରେ ଲୋକଙ୍କ ଘରୁ ସଫେଇ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ଓଦା ଏବଂ ଶୁଖିଲା ଅଳିଆ ଆବର୍ଜନା ଆଣି ତାହାକୁ ଏକତ୍ର କରି କମ୍ପୋଷ୍ଟ କରିବାପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କିନ୍ତୁ ଏ ସବୁର ଘୋର ବ୍ୟାଘାତ ସୃଷ୍ଟି ହୋଇଛି ବାଲୁଗାଁ ଏନ୍ଏସିରେ, ଯାହାକି ସିଧାସଳଖ ପ୍ରଭାବ ପଡୁଛି ବାଲୁଗାଁ ବାସିନ୍ଦାଙ୍କ ଉପରେ।ସୂଚନା ମୁତାବକ ବାଲୁଗାଁ ଏନ୍ଏସି ଅଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଏନ୍ଏସି ଏବଂ ଏଲ୍ ଆଣ୍ଡ କେ ସର୍ଭିସ ନାମକ ଏକ ଘରୋଇ ସଂସ୍ଥା ମଧ୍ୟରେ ଚୁକ୍ତି ପତ୍ର ହୋଇଛି। ଚୁକ୍ତି ଅନୁସାରେ ଉକ୍ତ କମ୍ପାନୀ ବାଲୁଗାଁ ସହରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଦୈନିକ ୩୨୬ ଟଙ୍କା ଦେୟରେ ସମୁଦାୟ ୬୫ଜଣ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଏମାନଙ୍କୁ ତଦାରଖ କରିବା ପାଇଁ ଦୁଇ ଜଣ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି।ସଫେଇ କର୍ମଚାରୀଙ୍କ କହିବା ମୁତାବକ ସେମାନେ ଦୀର୍ଘ ଦିନ ହେଲା କାମ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ପ୍ରକାରର ସଫେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଦିଆଯାଉ ନାହିଁ। ୱାର୍ଡ ୱାର୍ଡ ବୁଲି ଖାଲି ହାତରେ ଅଳିଆ ଆବର୍ଜନା ଗୋଟାଉଛୁ।ଏପରିକି ଠେଲା ଗାଡିର ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ।ଏନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହି ଅଧିକାରିଣୀଙ୍କୁ ଗୁହାରି କରିବାକୁ ଯାଇଥିବା କର୍ମଚାରୀ ମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଦୁର୍ବ୍ୟବହାର କରି କାର୍ଯ୍ୟାଳୟରୁ ଫେରାଇ ଦେଉଥିବା ଠିକା ସଫେଇ କର୍ମଚାରୀ ମାନେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଏନେଇ ବାଲୁଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନା ରାଣି ପାଢୀଙ୍କୁ ଯୋଗାଯୋଗ କରିବାରେ କୌଣସି ଦୁର୍ବ୍ୟବହାର କି ଜାତିଗତ ଆକ୍ଷେପ କରିନଥିବା କହିଛନ୍ତି। ଏଥିସହିତ ଆଜି ଯେଉଁ ସମସ୍ୟା ଉପୁଜିଛି ସେନେଇ ଏନ୍ଏସି ତରଫରୁ ଉକ୍ତ କମ୍ପାନୀକୁ ତାଗିଦ କରିବା ସହ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*