ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ତିନି ଗିରଫ।

utkalnews7
By
0


ଖୋର୍ଦ୍ଧା,୨୧।୮,(ଉତ୍କଳ ନ୍ୟୁଜ୍୭): ଧଳାଜହର ର ରାଜଧାନୀ ହେବାକୁ ବସିଲାଣି ଖୋର୍ଦ୍ଧା ଜିଲ୍ଲା।ପ୍ରତ୍ୟେକ ମାସରେ କେଉଁଠି ନା କେଉଁଠି ଧଳାଜହର ବେପାରୀ ଗିରଫ ହେବା ଏକ ନିତିଦିନିଆ ଘଟଣା ପାଲଟିଛି।ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମ ଶିବ ମନ୍ଦିର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ପାଇଥିଲେ।ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ଟିମ୍ କୁ ଘଟଣା ସ୍ଥଳରେ ଚଢ଼ାଉ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ବାଘମାରି ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଏବଂ ଇନ୍ସପେକ୍ଟର ରଶ୍ମିରଞ୍ଜନଙ୍କ ଦାସଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆଜି ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରି ୧୨.୧୫ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ନମ୍ବର ପ୍ଲେଟ ବିହୀନ ବାଇକ, ଦୁଇ ଗୋଟି ମୋବାଇଲ ଫୋନ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଘମାରି ଥାନା ତୁଳସୀପୁର ଗ୍ରାମର ବଳରାମ ସାହୁ (୫୦) ଓ ହିତୁ ପ୍ରଧାନ (୩୦) ଏବଂ କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳର ସୁରେନ୍ଦ୍ର ଦଳାଇ (୩୮)। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ଏକ ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।ଏହି ପରିପ୍ରେକ୍ଷୀରେ ବାଘମାରି ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ୧୦୩/୨୨ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*