କାହ୍ନୁଗୁଡ଼ା ଗାଁରେ ଜନନୀ ଯନ୍ତ୍ରଣାର ଅନ୍ତ କେବେ ?

utkalnews7
By
0


ରାୟଗଡ଼ା,୨୩।୭,(ଉତ୍କଳ ନ୍ୟୁଜ୍୭): ଗାଁ କୁ ଯିବାକୁ ନାହିଁ ସେତୁ, ସରକାର ସଫଳତାର ବାର୍ତ୍ତା ବାଣ୍ଟୁଥିବା ବେଳେ ଅନ୍ୟ ପଟେ  ଗର୍ଭବତୀଙ୍କୁ ବାଉଁଶ ଡାଲାରେ ବୋହି ନଦୀ ପାର କରାଇଲେ ପରିବାର ଲୋକ।ଏପରି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ କାହ୍ନୁଗୁଡ଼ା ଗ୍ରାମରେ। ଖଣି ଖାଦାନପୂର୍ଣ୍ଣ ଏବଂ ଶିଳ୍ପ ସମୃଦ୍ଧ କାଶୀପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଅନେକ ଗ୍ରାମକୁ ନିତିଦିନିଆ ରାସ୍ତା, ନଦୀ ଉପରେ ପୋଲଟିଏ ନିର୍ମାଣ ହୋଇ ପାରୁନଥିବାରୁ ଗର୍ଭବତୀ ଏବଂ ପୀଡ଼ିତାଙ୍କୁ ଡାକ୍ତରଖାନା ନେବାରେ ଆମ୍ବୁଲାନ୍ସ  ଯାଇପାରୁନାହିଁ । ଅଧିକାଂଶ ସମୟରେ ଗର୍ଭବତୀଙ୍କୁ ଖଟିଆ କିମ୍ବା ଡାଲାରେ ବୋହିକରି ବିପଦପୂର୍ଣ୍ଣ ଭାବେ ଭରା ନଈକୁ ପାର କରାଉଥିବା ନଜର ଆସିଛି ।ସୂଚନାଯୋଗ୍ୟ ଯେ,ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡ଼ା ଗ୍ରାମରେ ଏହାର ପୁନରାବୃତ୍ତି ଘଟିଛି । ଗ୍ରାମର ରଶ୍ମିତା ସାହୁ ପ୍ରସବ ବେଦନାରେ ଛଟପଟ ହେବାରୁ ୧୦୮ ଆମ୍ବୁଲାନ୍ସ ଫୋନ କରାଯାଇଥିଲା । କିନ୍ତୁ, କାହ୍ନୁଗୁଡ଼ା ଗାଁ ମୁଣ୍ଡରେ ଥିବା ନଦୀ ଉପରେ ପୋଲ ନଥିବାରୁ ଗାଁ ଠାରୁ କିଛି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଅନ୍ୟ ଉପାୟ ନ ପାଇ ପରିବାର ଲୋକେ ବାଉଁଶ ଡାଲାରେ ଗର୍ଭବତୀକୁ ବସାଇ କାଉଡ଼ି କରି ନଦୀ ପାର କରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ଏହା ପରେ ଗର୍ଭବତୀଙ୍କୁ କାଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କାହ୍ନୁଗୁଡ଼ା ଗ୍ରାମକୁ ରାସ୍ତା ଏବଂ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବହୁ ଦିନ ହେଲା ଦାବି କରି ଆସୁଛନ୍ତି ।ଏବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ର ନଜର ପଡୁଛି ଏ ଅଞ୍ଚଳ ଉପରେ ଓ ସେତୁ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେଉଛି।

Post a Comment

0 Comments

Please Select Embedded Mode To show the Comment System.*