ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ ଘଟଣା,ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଲେ ଲୋକେ ।

utkalnews7
By
0


ଫୁଲବାଣୀ,୫।୮,(ଉତ୍କଳ ନ୍ୟୁଜ୍୭) : ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଆଜି ଫିରିଙ୍ଗିଆ ଠାରେ ଚାଲିଥିଵା ରାସ୍ତାରୋକ ଘଟଣା ଉଗ୍ରରୂପ ନେଇଛି। ଉତ୍ତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ଏକ ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ କରାଯାଉଥିବା ଅଭିଯୋଗ ଆଣିଥିଲେ ଫିରିଙ୍ଗିଆର ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକେ। ଏହାର ଭିଡିଓ ରେକର୍ଡିଙ୍ଗ ଥିବା ବି ସେମାନେ ଦାବୀ କରିଥିଲେ। ଏହାକୁ ନେଇ ଥାନା ଅଧିକାରୀଙ୍କ ସହ ସମ୍ପୃକ୍ତ ପୁଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସକାଳୁ ଫିରିଙ୍ଗିଆ ଠାରେ ଫୁଲବାଣୀ-ବାଲିଗୁଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶତାଧିକ ଲୋକ। ଖବର ପାଇ ଘଟଣା ସ୍ଥଳରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ପହଞ୍ଚି ଲୋକଙ୍କୁ ବୁଝାଇ ଥିଲେ। ତେବେ ଘଟଣାର ସମାଧାନ ହେବା ପରିବର୍ତ୍ତେ ଧିରେ ଧିରେ ଉତ୍ତେଜନା ବଢିଥିଲା। ଉତ୍ୟକ୍ତ ଲୋକେ ଏସଡିପିଓ ଓ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ଗୋଡେଇ ଗୋଡେଇ ମାଡ ମାରିବା ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଘଟଣା ସ୍ଥଳରେ ଥିବା ଫିରିଙ୍ଗିଆ ତହସିଲଦାର ମଧ୍ୟ ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଫିରିଙ୍ଗିଆ ମେଡିକାଲରେ ଚିକିତ୍ସା କରାଯାଇଛି। ଜଣେ କାର୍ଯ୍ୟରତ ସାମ୍ବାଦିକ ମଧ୍ୟ ଗଣ୍ଡଗୋଳରେ ଆହତ ହୋଇଛନ୍ତି। ଏପଟେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆଇଆରବି ଯବାନ ମୁତୟନ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*