କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଚଳ, ଶୁଖିଲା ପଡ଼ିଛି ଚାଷ ଜମି : ଚିନ୍ତାରେ ଚାଷୀ।


ଟାଙ୍ଗୀ,୦୨।୧୧,(ଉତ୍କଳ ନ୍ୟୁଜ୍୭) : ଆଗକୁ ପାଖେଇ ଆସୁଛି ସାଧାରଣ ନିର୍ବାଚନ ଏହାରି ଭିତରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କୁଜି ନେତା, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବର୍ଷା ଅଭାବ ସାଙ୍ଗକୁ କେନାଲ ପାଣି ଆସୁଥିବାରୁ ଚିନ୍ତାରେ ଚାଷୀ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେଉଁ ଧାନ ଫସଲ କରିଥିଲା ତାହା ପାଣି ଅଭାବରୁ ଶହଶହ ଏକର ଗହୀର ବିଲ ପଡ଼ିଛି ସୁଖିଲା ହେଲେ ଏବେବି ନିଦରେ ବିଭାଗୀୟ ଅଧିକାରୀ। ଚାଷୀ ସଂଗଠନ ପକ୍ଷରୁ ମରୁଡ଼ି ଘୋଷଣା ଦାବି ଧରିଲାଣି ଜୋର। ସୂଚନାଯୋଗ୍ୟ ଯେ,ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଓ ପୁରୀ ଜିଲ୍ଲାର କିଛି ପଞ୍ଚାୟତରେ ଦେଖା ଦେଇଛି ମରୁଡ଼ି ପରିସ୍ଥିତି। ଗୋଟିଏ ପଟେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ରାମେଶ୍ୱର  ପଂଚାୟତର ଚାଷୀମାନଙ୍କର ଉନ୍ନତି ପାଇଁ ୧୯୮୧ ମସିହା ଡ଼ିସେମ୍ବର ୨୧ ତାରିଖରେ ଟାଙ୍ଗୀ ବ୍ଲକ୍ ରାମେଶ୍ୱର ଠାରେ ମଲାଗୁଣୀ ନଦୀ ଉପରେ ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବ୍ୟାରେଜକୁ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଚାଷୀମାନେ ମରୁଡ଼ି ଦାଉରୁ ରକ୍ଷା ପାଇବା ସହ ଖରାଦିନିଆ ଫସଲ ଚାଷ କରିବା । ଏହି ବ୍ୟାରେଜର ବିଭିନ୍ନ ଅଂଚଳକୁ କେନାଲମାନ ଲମ୍ବି ଯାଇଥିଲା । ହେଲେ ଦୀର୍ଘ ବର୍ଷର ଏହି ବ୍ୟାରେଜର ମରାମତି ଅଭାବରୁ  ଗତ ଫନି ବାତ୍ୟାରେ ୩ଟି ଗେଟ ଦୁର୍ବଳ ହୋଇଥିଲା । ସେଥିରୁ ୭ ନମ୍ବର ଗେଟ୍ ଟି ବାତ୍ୟାରେ ସାମାନ୍ୟ ବୁଲିଯାଇ ବଙ୍କା ହୋଇଯାଇଥିଲା ଓ ଗତ ବର୍ଷ ଅଗଷ୍ଟ ମାସ ୧୦ ତାରିଖରେ ଜଳ ସ୍ରୋତର ଚାପରେ  ଗେଟ୍ ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଫଳରେ ଅନ୍ୟ ଗେଟ୍ ଉପରେ ପ୍ରଭାବ ପଡ଼ିବାର ଆଶଙ୍କାରେ ସମସ୍ତ ଗେଟ୍ କୁ ବିଭାଗ ପକ୍ଷରୁ ଖୋଲା ଯାଇଥିଲା । ପରେ ପାଣିକୁ ଷ୍ଟକ କରି ରଖିବା ନିମନ୍ତେ ଅସ୍ଥାୟୀ ବାଲି ବନ୍ଧ କରାଯାଇଥିଲା । ତେବେ ୩ଟି ଗେଟ୍ ନୂଆ କରି ନିର୍ମାଣ କରିବାକୁ ୧ କୋଟି ୬ ଲକ୍ଷର ଟେଣ୍ଡର ଓଡ଼ିଶା କନଷ୍ଟ୍ରକନ୍ସ କରର୍ପୋରସେନ ପାଇଥିବା ବେଳେ ଦୀର୍ଘଦିନ ପରେ ୩ ଟି ଗେଟ୍ ଅଣା ଯାଇ ଲଗାଯାଇଛି । କିନ୍ତୁ ରୋପ୍ ଗୁଡ଼ିକ ଦୁର୍ବଳ ହୋଇଥିବାରୁ ଏହା ଛିଣ୍ଡି ପଡ଼ିଛି । ବର୍ତମାନ ବର୍ଷା ନ ହେବାରୁ ଓ ପାଣି ଅଭାବରୁ ଟାଙ୍ଗୀ ବ୍ଲକ୍ ର ରାମେଶ୍ୱର ,ନିରାକାରପୁର ଲେଣ୍ଡୁ,ଡ଼ିଆ ଗ୍ରାମପଞ୍ଚାୟତ ସମେତ ପୁରୀ ଜିଲ୍ଲା କଣାସ ବ୍ଲକର କିଛି ତଳ ଅଂଚଳ ଚାଷ ଜମି ସୁଖିଲା ପଡ଼ିଛି । ଫଳରେ ଧାନ ଫସଲ ହେବା ନେଇ ଚାଷୀ ଚିନ୍ତା ବଢିଯାଇଛି । କିନ୍ତୁ କେନାଲରେ ପାଣି ଆସୁନି କି ଚାଷି ଜମିକୁ ପାଣି ମଡ଼େଇ ପାରୁନି । ପ୍ରକୃତରେ ଯେଉଁ ଉଦ୍ଧେଶ୍ୟ ନେଇ ରାମେଶ୍ୱର ବ୍ୟାରେଜ ନିର୍ମାଣ କରାଯାଇଥିଲା । ତାହା ବିଭାଗୀୟ ରକ୍ଷଣାବେକ୍ଷଣ ଅଭାବରୁ ସଫଳ ରୂପାୟନ ଲାଭ କରି ପାରୁ ନଥିବା କିଛି ଚାଷୀ କହିଛନ୍ତି । ବର୍ତମାନ ରାମେଶ୍ୱର ଠାରୁ ତାଳପଡ଼ା ଆଡ଼କୁ ଯାିଥିବା କେନାଲରେ କେବଳ ପାଣି ଯାଉଥିବା ବେଳେ ନିରାକାରପୁର ପଟକୁ ଆସିଥିବା କେନାଲରେ ପାଣି ଛଡ଼ା ଯାଉ ନଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । ଫଳରେ ଜମିରେ ପାଣି ନାହିଁ । ଚାଷ ଜମି ସୁଖି ଆଁ କରିବାକୁ ବସିଲାଣି । ଏଣେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ବ୍ୟାରେଜରୁ ପାଣି କମି ଯିବା ଫଳରେ ନିରାକାରପୁର ଆଡ଼କୁ ପାଣି ଯାଇ ପାରୁ ନଥିବା କଥା ଜଣାଇଛନ୍ତି । ଜଣେ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି କି ବ୍ୟାରେଜରେ ୧୨ ଫୁଟ ପାଣି ରହିଲେ ଅଧିକ ଚାପ ଫଳରେ ନିରାକାରପୁର ଆଡ଼କୁ ପାଣି ଯାଉଥିଲା । କିନ୍ତୁ ବର୍ତମାନ ବ୍ୟାରେଜରେ ୯ ଫୁଟ ପାଣି ଥିବାରୁ ଆଉ ପ୍ରେସର ହେଉ ନଥିବାବେଳେ ନିରାକାରପୁର ପଟ କେନାଲର ମରାମତିର ଆବଶ୍ୟକତା ରହିଛି । କେନାଲର ବିଭିନ୍ନ ଜାଗା ଢିପ ଥିବାବେଳେ କିଛି କିଛି ଜାଗାରେ ଗଳିଆ ହୋଇଯାଇଛି । ସେହିପରି ତାଳପଡ଼ା କେନାଲ ପଟକୁ ଗେଟ ଦ୍ୱାରା ବନ୍ଦ କରିବା ବ୍ୟବସ୍ଥା ବି ନାହିଁ ଆଗକୁ ଟେଣ୍ଡର ହେବା କଥା ଶୁଣିବାକୁ ମିଳୁଛି । ଏହାର ମରାମତି ହେଲା ପରେ ନିରାକାରପୁର ଓ ତଳ ଅଂଚଳକୁ ପାଣି ସୁବିଧାରେ ଯାଇ ପାରିବ ବୋଲି ସେ ଜଣାଇଛନ୍ତି । ଏହା ମଧ୍ୟରେ ସାଧାରଣ ଚାଷୀଟି କଣ କରିବ କେଉଁଠାରୁ ପାଣି ଆଣି ଧାନ ଫସଲ ବଞ୍ଚାଇବ ସେ ଚିନ୍ତାରେ ରହିଛି । ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏହାର ପ୍ରତିକାର କରି ଚାଷ ଜମିକୁ ପାଣି ଛାଡ଼ିବାକୁ ଚାଷୀମାନେ ଦାବି କରିଛନ୍ତି ।

Previous Post Next Post