ବିଭାଗୀୟ ଅଧିକାରୀ ମାନେ ମନ୍ଦିର ପରିଦର୍ଶନ କରି ଏହା ଏକ ପ୍ରାଚୀନ ମୂର୍ତ୍ତି ବୋଲି ସର୍ଭେକ୍ଷଣରୁ ଜାଣି ପାରିଥିଲେ। ବିଭାଗ ଏହି ମନ୍ଦିରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ସ୍ଥିର କରି ମନ୍ଦିର ଜମିଜମା ରେକର୍ଡ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ଦିର ଜମିର ରେକର୍ଡ ଭୁକ୍ତ ପ୍ରଜା ହେଉଛନ୍ତି ଟାଙ୍ଗୀର ଜଗବନ୍ଧୁ ପୃଷ୍ଟି ସେ ଇହ ଜଗତରୁ ବିଦାୟ ନେଇସାରିଥାନ୍ତି। ନନ୍ଦ କିଶୋର ଭୁଜବଳ କେତେକ ସହଯୋଗୀ ବନ୍ଧୁମାନଙ୍କୁ ନେଇ ଜଗବନ୍ଧୁଙ୍କ ପୁଅ ବିଜୟଙ୍କୁ ସାକ୍ଷାତ କରି ତାଙ୍କୁ ବୁଝାସୁଝା କରିବା ପରେ ତାଂକ ଠାରୁ ଜମିର ପଟ୍ଟା ନେଇ ପ୍ରତ୍ନ ତତ୍ତ୍ୱ ବିଭାଗରେ ଦାଖଲ କରିଥିଲେ।ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ମନ୍ଦିର ସମ୍ମୁଖରେ ମନ୍ଦିର ସୁରକ୍ଷା ସମ୍ପର୍କିତ ସୂଚନା ଫଳକ ଲଗାଇ ମନ୍ଦିର ମଣ୍ଡପ ଇତ୍ୟାଦି ନିର୍ମାଣ କରିଥିଲେ ଓ ଜଣେ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା।ଆଉକିଛି ଅନୁଦାନରେ ମନ୍ଦିର ରୋଷ ଘର ମଧ୍ୟ ନିର୍ମିତ ହୋଇଛି। ଏହି କର୍ମଚାରୀଙ୍କୁ ଡେପୁଟେସନରେ ଚଣ୍ଡେଶ୍ଵର ଠାରେ ଅବସ୍ଥିତ ବାବା ଚଣ୍ଡିହର ଦେବଙ୍କ ମନ୍ଦିରକୁ ପଠାଯାଇଥିଲା।ସୂଚନା ଯୋଗ୍ୟ, ଷାଠିଏ ଦଶକ ପ୍ରାରମ୍ଭରୁ ଟାଙ୍ଗୀର କୈବର୍ତ୍ତ ସଂଘ ଏଠାରେ ପ୍ରତ୍ୟେକ ବର୍ଷ ରଜ ସମୟରେ ବାଦୀ ପାଲ୍ଲା ପରିବେଷଣ କରାଇଆସୁଛନ୍ତି ସେମାନଙ୍କ ଉଦ୍ୟମରେ ମନ୍ଦିର ପରିସର ବିକଶିତ ହେଉଛି। ସରପଞ୍ଚ କିଶୋର କୁମାର ବେହେରା ସବୁବେଳେ ମନ୍ଦିର ପ୍ରତି ଶୁଭ ଦୃଷ୍ଟି ରଖିଥିବା ଦେଖିବାକୁ ମିଳୁଛି। କୈବର୍ତ୍ତ ସଙ୍ଘର ସ୍ଥାୟୀ ପାଲ୍ଲା ମଣ୍ଡପ ଓ ଯଂଜ୍ଞ କମିଟି ତରଫରୁ ଏକ ସ୍ଥାୟୀ ଯଂଜ୍ଞ ମଣ୍ଡପ ମଧ୍ୟ ନିର୍ମିତ ହୋଇଛି।ଟାଙ୍ଗୀ ଓ ଏହାର ଆଖପାଖ ଅଂଚଳର ବହୁ ସଭା ସମିତି, ନ୍ୟାୟ ନିଶାପ, ବିବାହ ବ୍ରତ ଇତ୍ୟାଦି ଏଠାରେ ଆୟୋଜିତ ହୋଇଆସୁଛି।
ଏବେ ମନ୍ଦିର ପରିସରରେ ଟାଙ୍ଗୀ ପଞ୍ଚାୟତ ସମିତି ତରଫରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହାୟତାରେ ଏଠାରେ ଏକ ସାମୁହିକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇସାରିଛି।ଅପର ପକ୍ଷେ ପ୍ରତ୍ନ ତତ୍ତ୍ୱ ବିଭାଗର ସୂଚନା ଫଳକକୁ ଦେଖିବାକୁ ମିଳୁନାହିଁ। ମନ୍ଦିର ପୂଜକ ପୂର୍ଣ୍ଣ ଚନ୍ଦ୍ର ରଣା ଫଳକକୁ ଆଦୌଁ ଦେଖି ନଥିବା କହୁଛନ୍ତି। କୈବର୍ତ୍ତ ସଂଘ ଏଠାରେ ଆୟୋଜିତ ବିବାହ, ବ୍ରତ, ନିର୍ବନ୍ଧ ଓ ସାଧାରଣ ବୈଠକ ଇତ୍ୟାଦିରୁ ନିର୍ଦ୍ଧାରିତ ପରିମାଣର ଅର୍ଥ ଆଦାୟ କରୁଥିବା ଦେଖାଯାଉଛି।ତେଣୁ ମନ୍ଦିର ପରିଚାଳନା ଦାୟିତ୍ୱ କାହାର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜଣେ ଭଦ୍ର ବ୍ୟକ୍ତି ଏନେଇ ଟାଙ୍ଗୀ ବିଡ଼ିଓ ଙ୍କୁ ପଚାରିବାରେ ସେ ଏ ବାବଦରେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ। ତେବେ ଅତ୍ୟନ୍ତ ଚତୁରତାର ସହ ପ୍ରତ୍ନ ତତ୍ତ୍ୱ ବିଭାଗର ସୁରକ୍ଷିତ କୀର୍ତି ଫଳକଟିକୁ ସେଠାରୁ ହଟାଇଦିଆଯାଇଥିବା ସନ୍ଦେହ କରାଯାଉଛି। ପରିଚାଳନା ଦାୟିତ୍ୱ ଗ୍ରହଣ କରି ପ୍ରତ୍ନ ତତ୍ତ୍ୱ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଯାଇଥିବା ବେଳେ ସମ୍ପ୍ରତି ଏହି ମନ୍ଦିର ଦାୟିତ୍ୱ କାହାର ବୋଲି ସାଧାରଣରେ ଗୁଞ୍ଜରଣ ସୃଷ୍ଟି ହେବାରେ ଲାଗିଛି। ପ୍ରତ୍ନ ତତ୍ତ୍ୱ ବିଭାଗ ଏହାର ସ୍ପଷ୍ଟୀକରଣ ଦେବାକୁ ସାଧାରଣରେ ଦାବୀ ହେଉଛି।





0 Comments