ରଣପୁର,୫।୧୨(ଉତ୍କଳ ନ୍ୟୁଜ୍୭): ମେଡିକାଲ କଲେଜକୁ ନେଇ ତଳ ଚଞ୍ଚଳ ନୟାଗଡ଼ ଜିଲ୍ଲା ରାଜନୀତି।ଚଳିତ ବିଧାନସଭାରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ନୟାଗଡ ଜିଲ୍ଲା ଚାନ୍ଦପୁର ସ୍ଥିତ ବସନ୍ତ ମଂଜରୀ ସାଧାରଣ ହସ୍ପିଟାଲ କୁ ମେଡିକାଲ କଲେଜ ମାନ୍ୟତା ପାଇଁ ପ୍ରଶ୍ନ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁଥିଲେ । ଏହା ସରକାରଙ୍କ ବିଚାରାଧୀନ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଥିଲେ। ବିଧାନସଭାର ଏହି ପ୍ରଶ୍ନୋତ୍ତର ପରେ ରଣପୁର, ଚାନ୍ଦପୁର, ଟାଙ୍ଗୀ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିବା ବେଳେ ନୟାଗଡ ଅଞ୍ଚଳରେ ଏ ନେଇ ବିରୋଧା ଭାଷ ଦେଖାଦେଇଛି । ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଖୋଲାଖୋଲି ଭାବେ ଏହାକୁ ବିଧାନସଭାରେ ବିରୋଧ କରିଛନ୍ତି । ଖଣ୍ଡପଡା ବିଧାୟକ ଶ୍ରୀ ସ୍ଵାଇଁ ଚାନ୍ଦପୁର ବସନ୍ତ ମଂଜରୀ ସାଧାରଣ ହସ୍ପିଟାଲର ୧୧୭ ଏକର ଜମି,ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାରେ ୩୫୦ ଶଯ୍ୟା ଓ ଆନୁଷଙ୍ଗିକ ଭିଭିଭୂମି ରହିଛି ବୋଲି କହି ଜିଲ୍ଲା ମେଡିକାଲ କଲେଜ ଚାନ୍ଦପୁରରେ କରିବାକୁ ଅନୁରୋଧ କରିଥିଲେ । ନୟାଗଡ ବିଧାୟକ ଶ୍ରୀ ସାହୁ କହିଥିଲେ, ଓଡିଶାର ପ୍ରତି ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ କରାଯାଇଛି, ତେଣୁ ନୟାଗଡରେ ମେଡିକାଲ କଲେଜ କରିବା ପାଇଁ ସେ ଦୃଢ଼ ଦାବି କରି ଏହା ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଏହା ମଧ୍ୟରେ ନୟାଗଡର ବିଭିନ୍ନ ସଂଗଠନ ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ଏହାକୁ ବିରୋଧ କରୁଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ରଣପୁର ରାଣୀ ତଥା ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଂଜରୀ ନିଜସ୍ବ ୧୧୭ ଏକର ଜମିରେ ଏସିଆର ସର୍ବବୃହତ ଯକ୍ଷ୍ମା ହସ୍ପିଟାଲ ୧୯୫୮ମସିହାରେ ନିର୍ମାଣ କରିଥିଲେ ।ଏହି ହସ୍ପିଟାଲ ଟି ର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହରେକୃଷ୍ଣ ମହତାବ।ସମୟକ୍ରମେ ଯକ୍ଷ୍ମା ଚିକିତ୍ସା ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ପରେ ଏହାକୁ ଜନସାଧାରଣଙ୍କ ଦାବି କ୍ରମେ ସାଧାରଣ ହସ୍ପିଟାଲ ଭାବେ ସରକାର ଘୋଷଣା କରିଥିଲେ । ରଣପୁର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଦିଲ୍ଲୀ ସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲଥ ସାଇନସର ଏକ ଶାଖା ଏଠାରେ ଖୋଲିବା ପାଇଁ ପ୍ରୟାସ ହୋଇଥିଲା । ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଏଠାରେ ମେଡିକାଲ କଲେଜ କରିବା ପାଇଁ ଚେଷ୍ଟା କରିଥିଲେ। ପରେ ଏହାକୁ ଟ୍ରମା କେୟାର ସେଣ୍ଟର ମାନ୍ୟତା ମିଳିଥିଲା । ଏହାକୁ ନୟାଗଡ ଜିଲ୍ଲା କୋଭିଡ କେୟାର ସେଣ୍ଟର କରାଯାଇ ଶହଶହ ରୋଗୀଙ୍କ ଚିକିତ୍ସା ମଧ୍ୟ କରାଯାଇଥିଲା । ତେବେ ୨୦୨୩ରେ ସ୍ଥାନୀୟ ନେତୃତ୍ୱକୁ ନେଇ କ୍ରିୟାନୁଷ୍ଠାନ କମିଟି ଗଠନ ସହ ଏଠାରେ ମେଡିକାଲ କଲେଜ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜଙ୍କୁ ଏହି କମିଟିର ମୁଖ୍ୟ ଉପଦେଷ୍ଟା କରାଯାଇଥିଲା । ୨୦୨୪ ସାଧାରଣ ନିର୍ବାଚନରେ ରଣପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଭାବେ ସୁରମା ପାଢୀ ନିର୍ବାଚିତ ହୋଇ ବାଚସ୍ପତି ପଦବୀରେ ଅଛନ୍ତି । ସେ ନିର୍ବାଚନ ସମୟରେ ଏଠାରେ ମେଡିକାଲ କଲେଜ ଖୋଲିବା ପାଇଁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ରଣପୁର ନିର୍ବାଚନ ମଣ୍ଡଳୀ ସମେତ ଖୋର୍ଦ୍ଧା, ଚିଲିକା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହିତ ଲାଗି ବାଚସ୍ପତି ଶ୍ରୀମତୀ ପାଢୀ ଚେଷ୍ଟା କରୁଥିବା ବେଳେ ବିଜେଡିର ନୟାଗଡ ବିଧାୟକଙ୍କ ବିରୋଧକୁ ସ୍ଥାନୀୟ ଅଞ୍ଚଳରେ ନାପସନ୍ଦ କରାଯାଉଛି । ଦୀର୍ଘ ୨୪ ବର୍ଷ ବିଜେଡି ସରକାର ସମୟରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ସାହୁ ନୟାଗଡରେ ମେଡିକାଲ କଲେଜ ଖୋଲିବା ନେଇ ମୁହଁ ଖୋଲି ନ ଥିବା ବେଳେ ଏବେ ମେଡିକାଲ କଲେଜ ସ୍ଥାନକୁ କାହିଁକି ବିରୋଧ କରୁଛନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

0 Comments