ଜମା ଟଙ୍କା ପାଇଁ ଭଉଣୀର କଙ୍କାଳ ଧରି ୩କିଲୋମିଟର ଦୂର ବ୍ୟାଙ୍କକୁ ଚାଲିଚାଲି ଆସିଲେ : ଭାଇ ।

utkalnews7
By
0



କେନ୍ଦୁଝର :  ପୁଣି ପ୍ରଶାସନିକ ବ୍ୟବସ୍ଥା କୁ ଆଙ୍ଗୁଳି ନିର୍ଦ୍ଦେଶ।ବଦଳିଛି ସରକାର ହେଲେ ବଦଳୁନି ସରକାରୀ ବ୍ୟବସ୍ଥାର ଚିତ୍ର । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ ଯେଉଁଠି ହଜି ଯାଇଛି ମାନବିକତା। ସାମାନ୍ୟ କିଛି ହଜାର ଟଙ୍କା ହୁଏତ ଅନେକଙ୍କ ନିମନ୍ତେ ମୂଲ୍ୟହୀନ ହୋଇଥାଇପାରେ, କିନ୍ତୁ ଏକ ଗରିବ ବ୍ୟକ୍ତି ନିମନ୍ତେ ଏହା ଆଉ କିଛି ଦିନ ଜିଇଁବାର ଆଶା ଓ ଭରସା। ଏହି ଭରସା ଟିକକ ପାଇଁ ଆଜି ପରିଣତ ବୟସରେ ମଧ୍ୟ ଜଣେ ବ୍ୟକ୍ତି, ଦୁଇମାସ ପୂର୍ବେ ମୃତ ଘଟିଥିବା ନିଜ ଭଉଣୀଙ୍କ ମାଟିର ପୋତା ଯାଇଥିବା ଶବକୁ ଧୁଧୁ ଖରାରେ ନିଜ କାନ୍ଧରେ ପ୍ରାୟ ୩କିମି ବୋହି ବ୍ୟାଙ୍କ୍‌ ନିକଟରେ ପହଞ୍ଚିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଅନ୍ତର୍ଗତ ମଲ୍ଲୀପସି ସ୍ଥିତ ଓଡିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଏକ ଅଭାବନୀୟ ଘଟଣା  ଘଟିଛି। ଭଉଣୀର କଙ୍କାଳ ଦେଖାଇ ଜମା ଟଙ୍କା ନେବାକୁ ଜୈନିକ ଭାଇ ଦାବି କରିବା ଚର୍ଚ୍ଚା ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ପାଟଣା ବ୍ଳକ୍ ଅନ୍ତର୍ଗତ ଡିଆନାଳି ଗ୍ରାମର ଜିତୁ  ମୁଣ୍ଡା । ତାଙ୍କ ମୃତ  ଭଉଣୀ କଲରା ମୁଣ୍ଡାଙ୍କ ନାମରେ  ୧୯ ହଜାର ୩ ଶହଟଙ୍କା ଏହି ବ୍ୟାଙ୍କରେ  ଜମା ଥିଲା। ସୋମବାର, ଏହି ଟଙ୍କା ନେବାକୁ ତାଙ୍କ ଭାଇ ଜିତୁ ଆଜି ବ୍ୟାଙ୍କ କୁ ଆସି ଥିଲେ।  ଯାହା ନାମରେ  ଟଙ୍କା ଅଛି ସେ ନଆସିଲେ ଟଙ୍କା ଦିଆଯାଇ ପାରିବନାହିଁ ବୋଲି ବ୍ୟାଙ୍କର ଶାଖା ପରିଚାଳକ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।  ତାଙ୍କର  ମୃତ୍ୟୁ ହୋଇଥିବା କହିବାରୁ ତାଙ୍କ ଉତ୍ତରାଧିକାରୀ ନେଇ କି ଆସ ବୋଲି କହିଥିଲେ। ଏଥିରେ ବିବ୍ରତ ହୋଇ  ଜିତୁ ମୁଣ୍ଡା ସିଧାସଳଖ ଯାଇ ଗାଁ ଶ୍ମଶାନ ଘାଟରେ ପୋତା ଯାଇଥିବା ଭଉଣୀର କଙ୍କାଳକୁ ଖୋଳିଥିଲେ ଓ ତାକୁ କାନ୍ଧରେ ପକାଇ ତିନି କିଲୋମିଟର ଦୂର ମଲ୍ଲୀପସି ଓଡିଶା ଗ୍ରାମ୍ୟ  ବ୍ୟାଙ୍କ ଶାଖାକୁ ଚାଲିଚାଲି ଆସି ପହଂଚି ଥିଲେ। କଙ୍କାଳ କୁ ବ୍ୟାଙ୍କ ବାରଣ୍ଡାରେ ରଖି ଜମା ଥିବା ଟଙ୍କା ଦେବାକୁ ଦାବି କରିଥିଲେ। ଏଭଳି  ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଏଥିପାଇଁ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ଦାୟୀ କରିଛନ୍ତି। ବ୍ୟାଙ୍କ୍‌ କର୍ମଚାରୀଙ୍କ ଠାରୁ ସୂଚନା ପାଇ  ପାଟଣା ପୁଲିସ ପହଞ୍ଚି ଜିତୁକୁ ବୁଝାସୁ୍ଝା କରିଥିଲା। ସୂଚନାଯୋଗ୍ୟ , କଲରା ମୁଣ୍ଡା  କିଛି ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କ ସ୍ବାମୀ ଓ ଏକମାତ୍ର ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏହାପରର ୨ ମାସ ପୂର୍ବେ କଲରାଙ୍କ ମଧ୍ୟ ମୃତ୍ୟୁ ଘଟି ଥିଲା। କଲରାଙ୍କ ସମ୍ପର୍କୀୟ ବୋଇଲେ, ଜିତୁ ହିଁ ଏକ ମାତ୍ର ବ୍ୟକ୍ତି ଥିଲେ। ତେବେ ଏହି ଘଟଣା ପାଇଁ ବ୍ୟାଙ୍କ ଦାୟୀ ନାଁ ସ୍ବାସ୍ଥ୍ୟ ବିଭାଗ ନାଁ ରାଜସ୍ବ ବିଭାଗ ?

Post a Comment

0 Comments

Please Select Embedded Mode To show the Comment System.*