୧୦.୫୫ ଗ୍ରାମ ବ୍ରାଉନ ସୁଗାର ସହ ୨ଟିବାଇକ ଜବତ, ତିନି କୋର୍ଟ ଚାଲାଣ।

utkalnews7
By
0


ଖୋର୍ଦ୍ଧା,୯/୮,(ଉତ୍କଳ ନ୍ୟୁଜ୍୭):ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳ ପାଲଟିଲାଣି ଖୋର୍ଦ୍ଧା।ଦିନେ କି ଦୁଇଦିନ ନୁହେଁ ଦିର୍ଘଦିନରୁ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତ୍ୟକ ଦିନ ପୋଲିସ ରେଡ କରି ଖୋର୍ଦ୍ଧା ଜିଲ୍ଲାର କୋଉଠୁ ନା କୋଉଠୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଟାଉନ ଥାନା ଅଞ୍ଚଳରେ ବ୍ରାଉନ ସୁଗାର ଜବତ କରିଛି ପୋଲିସ।ସୂଚନାଯୋଗ୍ୟ ଯେ,ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତପୁର ୟୁପି ସ୍କୁଲ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଖବର ପାଇଥିଲେ।ଏନେଇ ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦.୫୫ ଗ୍ରାମ ବ୍ରାଉନ ସୁଗାର ଏବଂ ୨ ଗୋଟି ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ସ୍ଵପ୍ନେଶ୍ଵର ସାହିର ଲିଟୁ ବାରିକ (୩୦), ଶାଗୁଆନ ବଗିଚା ଅଞ୍ଚଳର ମିଟନ ଗୁରୁ (୨୨) ଏବଂ ସାମନ୍ତରାୟପୁର ଅଞ୍ଚଳର ସଦାଶିବ ନାୟକ (୨୧)। ଜବତ ବ୍ରାଉନ ସୁଗାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୩୮୦/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଏସଆଇ ପଦ୍ମଲୋଚନ ବେହେରା ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ଉକ୍ତ ମାମଲାର ଅତିରିକ୍ତ ଆଇଆଇସି ଚନ୍ଦ୍ରଶେଖର ଜେନା ତଦନ୍ତ କରୁଛନ୍ତି।ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହେବାର ଏକ ମାସ ମଧ୍ୟରେ ଜିଲ୍ଲାରେ ଏଗାର ଗୋଟି ବ୍ରାଉନ ସୁଗାର ମାମଲା ସାମ୍ନାକୁ ଆସିଛି ଏବଂ ୩୦୦ ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ ହୋଇଛି।ଆଗାମୀ ଦିନରେ ଚଢ଼ାଉ ଜୋରଦାର କରାଯିବା ନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*