ସୁନ୍ଦରଗଡ଼,୧୮।୯,(ଉତ୍କଳ ନ୍ୟୁଜ୍୭) :ଆଜିଠୁ ସୁନ୍ଦରଗଡ଼ ହେମଗିର ବସୁନ୍ଧରା ଗର୍ଜନ ବାହାଲ କୋଇଲା ଅଞ୍ଚଳ ରୂପେ କୋଇଲା ପରିବହନ କରୁଥିବା ଟ୍ରକ ମାଲିକମାନେ କୋଇଲା ପରିବହନ ମୂଲ୍ୟ ବୃଦ୍ଧି ଦାବି କରି ଚକା ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଚକା ବନ୍ଦ ଆନ୍ଦୋଳନ ଯୋଗୁ ରୋଡସେଲ କୋଇଲା ପରିବହନ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ବେଳେ ସାଇଡିଙ୍ଗକୁ କୋଇଲା ପରିବହନ ହେଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଟ୍ରକ ମାଲିକମାନେ କୋଇଲା ପରିବହନ ମୂଲ୍ୟ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଥିଲେ ।ଏହା ପରେ ପରେ କୋଇଲା ପରିବହନ କରୁଥିବା ଟ୍ରକ ମାଲିକମାନଙ୍କୁ ନେଇ ଗଠନ ହୋଇଥିବା ତିନୋଟି ଟ୍ରକ ମାଲିକ ସଂଘ ଏକ କୋର କମିଟି ଗଠନ କରି ଏକ ବୈଠକ କରି ଗତ ୨୦୧୬ରୁ ଆଜି ଯାଏ କୋଇଲା ପରିବହନ ମୁଲ୍ୟ ବୃଦ୍ଧି ହୋଇନି। ଗୋଟିଏ ପଟରେ ଡିଜେଲ ମୁଲ୍ୟ, ଟାୟାର ମୁଲ୍ୟ ଓ ପାଟ୍ସ ମୁଲ୍ୟ ବୃଦ୍ଧି ହୋଇଥିବାରୁ କୋଇଲା ପରିବହନ ମୁଲ୍ୟ ବୃଦ୍ଧି କରିବା ପାଇଁ ଲିଖିତ ଭାବେ ଅଭିଯୋଗ ଜିଲ୍ଲାପାଳ ବସୁନ୍ଧରା ଜିଏମଙ୍କୁ ପ୍ରଦାନ କରିଥିଲେ। ୧୩ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୧୪ରୁ ଚକା ବନ୍ଦ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ । ଜିଲ୍ଲାପାଳ କୋର କମିଟିର ଦାବି ଉପରେ ବୈଠକ କରିବା ପାଇଁ ଉପ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦେଇଥିଲେ।ହେଲେ ଉପଜିଲ୍ଲାପାଳ ବସୁନ୍ଧରା ଜିଏମଙ୍କୁ ଚିଠି କରି ସମସ୍ତ ପ୍ଲାଣ୍ଟର ସିଇଓ ମାନଙ୍କୁ ପ୍ରଗତି ମଣ୍ଡପରେ ୧୨ ତାରିଖ ଦିନ ଅପରାହ୍ନ ୩ଟାରେ ଅନୁଷ୍ଠିତ ବୈଠକରେ ଯୋଗଦାନ କରିବା ପାଇଁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଗତ ୧୨ ତାରିଖ ଅପରାହ୍ନରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୋଇଲା ପରିବହନ ମୁଲ୍ୟ ବୃଦ୍ଧି ଦାବି ଉପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୋର କମିଟିର ଅଧ୍ୟକ୍ଷ ତିନୋଟି ମାଲିକ ସଂଘର କର୍ମକର୍ତ୍ତା ଯୋଗଦାନ କରି କୋଇଲା ପରିବହନ ମୁଲ୍ୟ ବୃଦ୍ଧି ଉପରେ ଆଲୋଚନା କରିଥିଲେ ।କିନ୍ତୁ ବୈଠକରେ ବସୁନ୍ଧରା କୋଇଲା ଖଣିରୁ କୋଇଲା ନେଉଥିବା ସମସ୍ତ ପ୍ଲାଣ୍ଟର ସିଇଓ ଆସି ନଥିବାରୁ କୋଇଲା ପରିବହନ ମୁଲ୍ୟ ବୃଦ୍ଧି ଉପରେ କୌଣସି ନିଷ୍ପତ୍ତି ହୋଇନପାରିବାରୁ ଉପଜିଲ୍ଲାପାଳ ୧୫ ତାରିଖ ଦିନ ଅପରାହ୍ନରେ ପୁଣିଥରେ କୋଇଲା ପରିବହନ ମୁଲ୍ୟ ବୃଦ୍ଧି ପାଇଁ ବୈଠକ କରାଯିବ ବୋଲି କହିଥିଲେ।ଏହି ବୈଠକରେ ଯେପରି ସମସ୍ତ ପ୍ଲାଣ୍ଟର ସିଇଓମାନେ ଉପସ୍ଥିତ ରହିବେ ସେ ବ୍ୟବସ୍ଥା ବସୁନ୍ଧରା ଜିଏମ କରିବେ ବୋଲି ନିଷ୍ପତ୍ତି ନେଇ ବୈଠକ ଶେଷ ହୌଇଥିଲା। ମାଲିକମାନେ ୧୫ ତାରିଖ ବୈଠକ ଯାଏ ଚକା ବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ୧୫ ତାରିଖ ଦିନ ହେବାକୁ ଥିବା ବୈଠକକୁ କୌଣସି ସିଇଓ ନ ଆସିବାରୁ ବୈଠକ ହୋଇପାରି ନଥିଲା । ମାଲିକମାନେ ପ୍ଲାଣ୍ଟ ଗୁଡିକ କୋଇଲା ପରିବହନ ମୁଲ୍ୟ ବୃଦ୍ଧି କରିବା ପାଇଁ ଇଛୁକ ନଥିବା ଅନୁଭବ କରି ସୁନ୍ଦରଗଡ ଟ୍ରକ ମାଲିକ ସଂଘ କାର୍ଯ୍ୟଳୟରେ ଏକ ବୈଠକ କରି ୧୮ ତାରିଖରୁ ଚକା ବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେବାପରେ ଆଜି ସକାଳ ୬ ଟାରୁ ମାଲିକମାନେ ଚକା ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ଆନ୍ଦୋଳନ ଯୋଗୁ ରୋଡସେଲରେ ୭୯ଟି ପ୍ଲାଣ୍ଟକୁ କୋଇଲା ପରିବହନ ବନ୍ଦ ରହିଛି। ଏ ଆନ୍ଦୋଳନର ସମାଧାନ ଶୀଘ୍ର କରା ନଗଲେ ଆନ୍ଦୋଳନ ଉଗ୍ରରୂପ ନେବା ସମ୍ଭାବନା ନେବ ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି।