ଭୂମି ଅଧିକାର ପ୍ରମାଣ ପତ୍ର ବାଣ୍ଟିଲେ : ମୁଖ୍ୟମନ୍ତ୍ରୀ,୫ ମହାନଗରର ବଦଳିବ ଚିତ୍ର,୬୫ ହଜାର ପରିବାର ହେବେ ଉପକୃତ।


ଭୁବନେଶ୍ଵର, ୨୮।୦୮,(ଉତ୍କଳ ନ୍ୟୁଜ୍୭) : ବଦଳୁଛି ମହାନଗରର ଚିତ୍ର ଗରିବ ବସ୍ତି ବାସିନ୍ଦା ପାଇଲେ ଭୂମି ଅଧିକାର। ବସ୍ତି  ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ  ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ। ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର। ଜାଗା ସହ ମିଳିବ ଘର ତିଆରି ସହାୟତା, ଏବଂ ବିଜୁଳି, ପାଣି, ସଡକ ଓ ଅନ୍ୟ ମୌଳିକ ସୁବିଧା। ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ବସ୍ତି ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଛି। ଅକ୍ଟୋବର ମାସରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରଦାନ କରାଯିବ। ସମସ୍ତଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର। ଜାଗା ମିଶନ ଗରିବ ଲୋକକୁ ଦେଇଛି ସମ୍ମାନ, ନୂଆ ପରିଚୟ।ରାଜ୍ୟରେ ଆଉ ରହିବନି ବସ୍ତି। ସବୁ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ। ଏନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା- ୫ଟି ମହାନଗର ନିଗମର ୬୫ ହଜାର ଗରିବ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ,୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଜାଗା ମିଶନ କାର୍ଯ୍ୟକ୍ରମରେ ସହରର ବସ୍ତି ଗୁଡିକରେ ରହୁଥିବା ଗରିବ ପରିବାର ଗୁଡିକୁ ଭୂମି ଅଧିକାର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଭୂମି ଅଧିକାର ମିଳିଛି। ଆଜିର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଛି। ଏହା ସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆ ଯାଇଛି। ବସ୍ତିମୁକ୍ତ ଓଡିଶା ଗଠନ ଉଦ୍ଦେଶ୍ୟ ନେଇ ଏହି ସବୁ ବସ୍ତି ଗୁଡିକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯାଇ ଏସବକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରେ କହିଥିଲେ, ସହର କେବଳ ଧନୀ ଲୋକଙ୍କର ନୁହଁ। ଗରିବ ଲୋକର ମଧ୍ୟ ସ୍ବାଭିମାନ ସହ ସହରରେ ବଞ୍ଚିବାର ଅଧିକାର ରହିଛି । ସହରର ନିର୍ମାଣରେ ବ୍ୟବହୃତ ପ୍ରତିଟି ଇଟାରେ ଗରିବ ଲୋକର ପରିଶ୍ରମ ଯୋଡି ହୋଇ ରହିଛି । ସେମାନଙ୍କ ଅବଦାନକୁ ଆମେ ସମସ୍ତେ ସମ୍ମାନ ଜଣାଇବା ଉଚିତ । ଜାଗା ମିଶନ ଗରିବ ଲୋକକୁ ସମ୍ମାନ ଦେଇଛି, ନୂଆ ପରିଚୟ ଦେଇଛି । ଏ କାର୍ଯ୍ୟକ୍ରମ କେବଳ ଓଡିଶା  ନୁହେଁ, ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର ରହିଛି । ସହରର ରୂପାନ୍ତରରେ ଜାଗା ମିଶନ ନୂଆ ଯୁଗ ଆରମ୍ଭ କରିଛି ବୋଲି ମତ ଦେଇଥିଲେ । ଜାଗା ମିଶନର ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବରୁ ମୁଖ୍ୟମନ୍ତ୍ରୀ ଏହାକୁ ଧନ୍ୟବାଦ ଦେବା ସହିତ ଟାଟା ଷ୍ଟିଲକୁ ସମ୍ବର୍ଦ୍ଧିତ କରିଥିଲେ। ଲୋକଙ୍କ ଜୀବନରେ ରୂପାନ୍ତର ଆଣିବା ପାଇଁ ଆମର ଉଦ୍ୟମକୁ ୫-ଟି ଉପକ୍ରମ ତ୍ୱରାନ୍ୱିତ କରିଛି। ଜାଗା ମିଶନ ଏହାର ଏକ ପ୍ରକୃଷ୍ଠ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ। ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା ଗଢିବା ଆମର ଲକ୍ଷ୍ୟ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହି ଲକ୍ଷ୍ୟ ପୂରଣ ଦିଗରେ ଆଜିର କାର୍ଯ୍ୟକ୍ରମ ଏକ ମାଇଲଷ୍ଟୋନ ହୋଇ ରହିବ ।ଏହି କାର୍ଯ୍ୟକ୍ରମରେ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଥିବା ୧୦୧୦ଟି କଲୋନୀ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। କଟକ ମହାନଗର ନିଗମ, ସମେତ ଖୋର୍ଦ୍ଧା, କୋରାପୁଟ ଓ ଯାଜପୁର ପୌରାଞ୍ଚଳକୁ ବିଜୁ ଆଦର୍ଶ କଲୋନୀ ନିର୍ମାଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୌରାଞ୍ଚଳକୁ ସମ୍ମାନିତ କରିଥିଲେ। ସେହିପରି ଯେଉଁଠାରେ ଆଇନଗତ କାରଣରୁ ବସ୍ତି ଲୋକଙ୍କୁ ନିଜେ ରହୁଥିବା ସ୍ଥାନରେ ଜାଗା ଦିଆଯିବା ସମ୍ଭବ ନୁହେଁର, ସେଠାରେ ସମସ୍ତଙ୍କ ସହମତିରେ ନିକଟସ୍ଥ ସ୍ଥାନରେ ଜାଗ ଦିଆଯାଇ ନୂଆ କଲୋନୀ ସ୍ଥାପନ କରାଯାଉଛି। ନୂଆ କଲୋନୀ ସ୍ଥାପନରେ ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେଶିଙ୍ଗା ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଜଙ୍ଗଲ, ଜମିରେ ଘର କରିଥିବା ଗରିବ ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନର ପ୍ରୟୋଗରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ ସ୍ଥାନ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ସମ୍ବର୍ଦ୍ଧିତ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀମତି ଉଷା ଦେବୀ ନିଜର ଅଭିଭାଷଣ ରଖି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମ ଯୋଗୁ ରାଜ୍ୟର ଗରିବ ଲୋକମାନଙ୍କ ମୁହଁରେ ଆଜି ହସ ଫୁଟିଛି। ସେମାନେ ଆଜି ନିଜର ଅଧିକାର ପାଇଛନ୍ତି ଓ ଆଗକୁ ବଢିବାର ସୁଯୋଗ ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା,  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭାଗର  ପ୍ରମୁଖ ସଚିବ ଜି. ମାଥଭାତନନ୍ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଜାଗା ମିଶନର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post Next Post