ଗଞ୍ଜାମ,୨୮।୮,(ଉତ୍କଳ ନ୍ୟୁଜ୍୭) : ରାଜ୍ୟରେ ନାହିଁ ରୋଜଗାର,ପେଟ ପୋସିବା ଲାଗି କିଏ ବାହାର ରାଜ୍ୟକୁ ଯାଇ ନିର୍ଯ୍ୟାତିତ ହେଉଛି ତ କିଏ ବିଦେଶ ଯାଇ ନିର୍ଯ୍ୟାତନାର ଶୀକାର ହୋଇ କୋହଭରା କଣ୍ଠରେ ଫେରାଇ ଆଣିବା ଲାଗି ଭିଡ଼ିଓ ବାର୍ତ୍ତା ପଠାଉଛି।ହେଲେ ଏହାରି ଭିତରେ ସରୁନି ଦାଦନ ଦୁଃଖ।ରାଜ୍ୟ ର ଏପରି ଏକ ଜିଲ୍ଲା ଯେଉଁଠି ଲୋକଙ୍କ ରୋଜଗାର ଲାଗି ଶିଳ୍ପ ପ୍ରତିଷ୍ଠା ନାହିଁ।ଆଉ ଯେଉଁ କେତୋଟି ଶିଳ୍ପାନୁଷ୍ଠାନ ରହିଛି ସେଥିରେ ଓଡ଼ିଆ ଶ୍ରମିକ କମ୍ ଅଣ ଓଡ଼ିଆ ଶ୍ରମିକ ଭର୍ତ୍ତି।ତେବେ ଦେଶ ଓ ବିଦେଶରୁ ଖଲ୍ଲିକୋଟ ଅଞ୍ଚଳକୁ ଲଗାତାର ଭାବେ ପହଞ୍ଚିବାରେ ଲାଗିଛି ଦାଦନ ନିର୍ଯ୍ୟାତନାର ଖବର । କେଉଁଠି ଓଡ଼ିଆ ଦାଦନ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇ ଫସି ରହୁଥିବାବେଳେ ଆଉ କେଉଁଠି ମୃତ ଦାଦନ ଶ୍ରମିକଙ୍କ ଶବ ଗାଁରେ ପହଞ୍ଚୁଛି । ଗଞ୍ଜାମ ଜିଲ୍ଲା ଦାଦନ ଶ୍ରମିକଙ୍କ ଜିଲ୍ଲା ଭାବେ ପରିଗଣିତ ହୋଇଥିବାବେଳେ ଖଲ୍ଲିକୋଟ ବ୍ଲକରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଢେର ଅଧିକ । ବ୍ଲକର ପ୍ରାୟ ୨୨ହଜାରରୁ ଅଧିକ ଦାଦନ ଶ୍ରମିକ ରାଜ୍ୟ ତଥା ଦେଶ ବାହାରେ କାମ କରୁଛନ୍ତି । ଗତ କିଛିଦିନ ତଳେ ଖଲ୍ଲିକୋଟ ବ୍ଲକର ମାଣିକ୍ୟପୁର ଓ ମହେଶ୍ବରପୁର ଗାଁର ଦୁଇ ଜଣ ଦାଦନ ଶ୍ରମିକଙ୍କ ଶବ ଇଥିଓପିଆ ଓ ଦୁବାଇରୁ ଆସି ଗାଁରେ ପହଞ୍ଚିଥିଲା। ସୋମବାର ମଧ୍ୟ ଏହିଭଳି ଏକ ଦାଦନ ନିର୍ଯ୍ୟାତନାର ଖବର ଆସିଛି । ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ତେନ୍ତୁଳିଆ, କୈଠଡ଼ା, ବାକୁଟୁ ଗାଁ, ଲଂଗଳେଶ୍ବର ଓ ଗଞ୍ଜାମ ବ୍ଲକ ପାଲୁରୁ ଗାଁର ୨୦ଜଣ ବ୍ୟକ୍ତି ଗତ ୧୦ମାସ ତଳେ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ଯାଇଥିଲେ । ଲଙ୍ଗଳେଶ୍ବର ଓ ବାକୁଟୁ ଗାଁର ଦୁଇ ଜଣ ଠିକାଦାର ଜଣ ପିଛା ୧ଲକ୍ଷ ୧୦ହଜାର ଟଙ୍କା ନେଇ ସେମାନଙ୍କୁ ଟୁରିଷ୍ଟ ଭିସାରେ ଦୁବାଇ ପଠାଇଥିବା ଅଭିଯୋଗ ହୋଇଛି । ଉକ୍ତ ୨୦ଜଣ ବ୍ୟକ୍ତିଙ୍କୁ ମାସିକ ୩୫ହଜାର ଟଙ୍କା ପାରିଶ୍ରମିକ ମିଳିବାର ପ୍ରତିଶ୍ରୁତି ଦେଇ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇର ଏକ ଘରୋଇ କମ୍ପାନୀକୁ ଠିକାଦାର ପଠେଇଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ସେଠାରେ କାମ କରିବା ପରେ କମ୍ପାନୀ ଠିକ୍ ଭାବେ ପାରିଶ୍ରମିକ ଦେଉନାହିଁ । ୩/୪ ମାସରେ ଗୋଟିଏ ମାସର ଟଙ୍କା ଦେଉଛି । ଖାଇବା ଅତ୍ୟନ୍ତ ନିମ୍ନ ମାନର । ଟଙ୍କା ମାଗିଲେ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯ୍ୟାତନା ଦେଉଛନ୍ତି । ସେମାନେ ଗାଁକୁ ଫେରିବାକୁ ଚାହିଁଲେ ମଧ୍ୟ ସେମାନଙ୍କୁ କମ୍ପାନୀ ଛାଡୁନାହିଁ । ତେବେ ୪ଜଣଙ୍କୁ କମ୍ପାନୀ ଛାଡ଼ିବାରୁ ସେମାନେ ଗାଁକୁ ଫେରି ନିର୍ଯ୍ୟାତନା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ସମସ୍ତ ବିଷୟ ଜାଣିବା ପରେ ଉକ୍ତ ଦୁଇ ଠିକାଦାରଙ୍କୁ ବାନ୍ଧିବା ସହ ଦୁବାଇରେ ଫସି ରହିଥିବା ୧୬ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ଲୋକେ ଭେଜିପୁଟ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଦୁବାଇରେ ଫସି ରହିଥିବା ଶ୍ରମିକମାନେ ସେଠାରୁ ତାଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବାକୁ ଆକୁଳ ନିବେଦନ କରି ଏକ ଭିଡ଼ିଓ ପଠେଇଛନ୍ତି ।ଏବେ ଦେଖିବାକୁ ବାକି ରହିଲା ଦାଦନ ବିଦେଶରେ ଫସିଥିବା ଶ୍ରମିକ ସୁରକ୍ଷିତ ଭାବରେ ନିଜ ଗାଁକୁ ଫେରୁଛନ୍ତି।