
ଟାଙ୍ଗୀ,୨୦।୮,(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ରେଳଷ୍ଟେସନରେ ଆଜିଠାରୁ ( ଭୁବନେଶ୍ୱର – ବେଙ୍ଗାଲୁରୁ)ପ୍ରଶାନ୍ତି ଏକ୍ସପ୍ରେସ ରହଣି ଆରମ୍ଭ ହେଇଛି। ଏନେଇ କାଳୁପଡାଘାଟ ରେଳ ୟୁଜେସ ଆସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାନ୍ତି ଏକ୍ସପ୍ରେସକୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା ପୃଥିବୀରାଜ ହରିଚନ୍ଦନ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ ପତାକା ଦେଖାଇ କାଳୁପଡାଘାଟ ରେଲଷ୍ଟେସନରୁ ଶୁଭାରମ୍ଭ କରିଛନ୍ତି।କାଳୁପଡାଘାଟ ରେଳ ଷ୍ଟେସନ ଉପରେ, ଟାଙ୍ଗୀ,ରଣପୁର ଓ କାଳୁପଡା ଓ ଆଖପାଖ ୧୦ଖଣ୍ଡ ଗ୍ରାମପଞ୍ଚାୟତର ସାଧାରଣ ଜନତା ନିଜ ଗମନାଗମନ ପାଇଁ ନିର୍ଭର କିନ୍ତୁ ଏହି ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନ ରହୁ ନ’ ଥିବା କାରଣରୁ ସ୍ଥାନୀୟ ଜନତା ଅନେକ ସମସ୍ୟା ଦେଇ ଗତିକରୁଥିଲେ ଓ ଏକ୍ସପ୍ରେସ ଟ୍ରେନ ପାଇଁ ପୁରୀ ଓ ଖୋର୍ଦ୍ଧା ରୋଡ଼ ରେଳଷ୍ଟେସନରେ ନିର୍ଭର କରୁଥିଲେ। ସ୍ଥାନୀୟ ଜନତାଙ୍କ ଏହି ସମସ୍ୟା ବିଷୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ. ସମ୍ବିତ ପାତ୍ର ଅବଗତ ହେବା ପରେ ସେ କାଳୁପଡାଘାଟ ରେଳ ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନର ରହଣି ପାଇଁ ଉଦ୍ୟମ କରିଥିଲେ। ସେ ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମାର୍ଚ୍ଚ ମାସରେ ଦିଲ୍ଲୀରେ ଭେଟି କରି କାଳୁପଡାଘାଟ ରେଳଷ୍ଟେସନରେ ରଜ୍ୟରାଣୀ ଏକ୍ସପ୍ରେସ ଓ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ଅନୁରୋଧ କରିଥିଲେ।କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସମ୍ବିତ ପାତ୍ରଙ୍କ ଅନୁରୋଧ ସ୍ବୀକାର କରି ଗତ ଜୁନ ମାସରେ ରାଜ୍ୟରାଣୀ ଟ୍ରେନର ରହଣି ପାଇଁ ସ୍ବୀକୃତି ଦେଇଥିବା ବେଳେ ଗତ ୧୧ ଅଗଷ୍ଟକୁ ସେ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ସ୍ବୀକୃତି ଦେଇଥିଲେ। ପ୍ରଶାନ୍ତି ଏକ୍ସପ୍ରେସ କାଳୁପଡାଘାଟ ଷ୍ଟେସନରେ ରହଣି ଯୋଗୁଁ ଟାଙ୍ଗୀ,ଚିଲିକା ଓ ରଣପୁର ଅଂଚଳର ଜନତାଙ୍କ ଗମନାଗମନ ସରଳ ହେବା ସହିତ ଅଞ୍ଚଳରେ ପର୍ଯ୍ୟଟନ ଓ ଆର୍ଥିକ ଗତିବିଧିରେ ମଧ୍ୟ ବୃଦ୍ଧି ହେବ।ଏନେଇ ଡ଼ଃ. ସମ୍ବିତ ପାତ୍ର ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୁରୀ ଲୋକସଭାର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରଚେଷ୍ଟା କରୁଛନ୍ତି। କାଳୁପଡାଘାଟ ଷ୍ଟେସନରେ ପ୍ରସାନ୍ତି ଏକ୍ସପ୍ରେସର ରହଣି ପାଇଁ ସ୍ଥାନୀୟବାସିନ୍ଦାଙ୍କ ଅନେକ ଦିନର ଦାବି ଥିଲା। ଆଜି ଏହାର ସମାଧାନ ହେଇଥିବାରୁ ସେ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।ପ୍ରଶାନ୍ତି ଏକ୍ସପ୍ରେସର ରହଣି ପରେ ଆଜି ଟାଙ୍ଗୀ,ଚିଲିକା ଓ ରଣପୁରରେ ଖୁସିର ଲହରୀ ଖେଳିଯାଇଛି।
0 Comments