କ୍ୟାସ୍ ଭ୍ୟାନ୍‌ରେ ଟଙ୍କା ଲୋଡ଼ ସମୟରେ ଅଘଟଣ,ସୁରକ୍ଷାକର୍ମୀ ଅସାବଧାନତା ରୁ ଫୁଟିଲା ଗୁଳି, ୩ ଆହତ।


ସୁନ୍ଦରଗଡ଼,୧୭।୮,(ଉତ୍କଳ ନ୍ୟୁଜ୍୭): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସାପ୍ତାହିକ ବଜାର ସାମ୍ନାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ସୁରକ୍ଷା କର୍ମୀଙ୍କ ଅସାବଧାନତା କାରଣରୁ ବନ୍ଧୁକ ଫୁଟି ତିନି ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଆହତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସୁରକ୍ଷା କର୍ମୀଙ୍କୁ ଧରି ଥାନା ଜିମା ଦେଇଛନ୍ତି।ସୂଚନା ଯୋଗ୍ୟ ଯେ,ଆଜି ଗୁରୁବାର ପ୍ରାୟ ୧୦ଟାରେ ଏକ କ୍ୟାସ୍ ଭ୍ୟାନ୍ (ଓଡି ୦୨ ବିସି ୩୫୫୦)ରେ ଟଙ୍କା ନେବାକୁ ରାଜଗାଙ୍ଗପୁର ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲା। ତେବେ ଭ୍ୟାନ୍‌ରେ ଟଙ୍କା ଭର୍ତ୍ତି ହେଉଥିବା ସମୟରେ ଭ୍ୟାନରେ ନିୟୋଜିତ ଏସ୍ ଆଣ୍ଡ ଆଇବି ସୁରକ୍ଷାକର୍ମୀ ରଞ୍ଜିତ କୁମାର ଧରିଥିବା ଡବଲ ବ୍ୟାରେଲ ବନ୍ଧୁକରୁ ଅସାବଧାନତା ବଶତଃ ଗୁଳି ଫୁଟି ଯାଇଥିଲା। କେହି କିଛି ଜାଣିବା ପୂର୍ବରୁ ବ୍ୟାଙ୍କ ନିକଟରେ ଛିଡା ହୋଇଥିବା ତିନି ଜଣ ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିଥିଲା । ଆହତମାନେ ସ୍ଥାନୀୟ ଅଞ୍ଚଳର ଅନୁରାଗ ତନ୍ତୀ ( ୨୪ ବର୍ଷ), ଏମଡି ଇଲିୟାସ ( ୪୦ ବର୍ଷ) ଓ ସୀତା ଲାକ୍ରା। ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସ୍ଥାନୀୟ ଲୋକ ଭ୍ୟାନର ସୁରକ୍ଷା କର୍ମୀ ରଞ୍ଜିତକୁ କାବୁ କରି ଥାନାରେ ଦେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଘଟଣା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Previous Post Next Post