ବୋଲଗଡ଼ ବ୍ଲକ ଅଂଚଳକୁ ମରୁଡି ଅଞ୍ଚଳ ଘୋଷଣା କରିବାକୁ କୃଷକଙ୍କ ଦାବି।


ବୋଲଗଡ଼,୧।୯,(ଉତ୍କଳ ନ୍ୟୁଜ୍୭): ରାଜ୍ୟରେ ମୌସୁମୀ ବାୟୁ ଉଭାନ ଚିନ୍ତାରେ ଚାଷୀ।ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଞ୍ଚଳରେ ଆବଶ୍ୟକୀୟ ବୃଷ୍ଟିପାତ ନ ହେବା ଫଳରେ ଚାଷ ଜମିଗୁଡିକ ଶୁଖି ଫାଟି ଆଁ କଲାଣି । ଚାଷ କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଁଚି ଥିବାବେଳେ ଆବଶ୍ୟକୀୟ ବୃଷ୍ଟିପାତ ନ ହେବା ଫଳରେ ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ମରୁଡି ଆଶଙ୍କା ଦେଖାଦେଇଛି । ଧାରା ଶ୍ରାବଣ ମାସ ଶେଷ ହୋଇଥିଲା ବେଳେ ମୌସୁମୀ ବାୟୁ ଲୁଚକାଳି ଖେଳିବା ସହିତ ପ୍ରଚଣ୍ଡ ରୌଦ୍ରତାପରେ ଚାଷ ଧାନ ବିଲରୁ ପାଣି ଶୁଖି ଚାଷଜମି ଫାଟି ଆଁ ଦେଖାଗଲାଣି ଓ ଧାନଗଛ  ଠିଆ ଠିଆରେ ଜଳିଗଲାଣି।ଫଳରେ ବୋଲଗଡ଼ ବ୍ଲକର ୧୯ଟି ପଞ୍ଚାୟତ ଅଞ୍ଚଳର ଚାଷ ଜମିରେ ପାଣି ନ ହେବାଯୋଗୁଁ ଚାଷୀର ଚାଷକାର୍ଯ୍ୟରେ ବାଧକ ସାଜିଛି । ଚାଷୀମାନେ ଲଘୁଚାପ ଜନିତ ବର୍ଷା କିମ୍ବା ମୌସୁମୀ ବାୟୁ ବର୍ଷାକୁ ଚାତକ ଭଳି ଚାହିଁ ବସିଛନ୍ତି । ଚାଷୀମାନେ ନିଜ ନିଜର ଚାଷ ଜମିରେ ଧାନତଳି ରୋଇ  ରାସାୟନିକ ସାର ପ୍ରୟୋଗ କରି ବର୍ଷା ଜଳକୁ ଅପେକ୍ଷା କରି ବସିଛନ୍ତି। ବୋଲଗଡ଼ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଚାଷ ଓ ଚାଷୀର ବିକାଶ ପାଇଁ କୌଣସି ଜଳସେଚନର ବ୍ୟବସ୍ଥା ନଥିବା ବେଳେ ଚାଷୀମାନେ ବର୍ଷା ଜଳକୁ ଚାହିଁ ରହିଛନ୍ତି ଓ ମରୁଡିର ସମ୍ମୁଖୀନ ହେଉଛନ୍ତି । ବୋଲଗଡ଼ ବ୍ଲକ୍ ଅଂଚଳର ଶତକଡା ୯୦% ଲୋକ ଧାନ ଚାଷ  ନିଜ ପରିବାରର ଭରଣ ପୋଷଣ କରିଥାନ୍ତି। ଚାଷ କରିବା  ପାଇଁ ଚାଷୀ ମାନେ ସୁନା, ରୁପା ଗହଣା ବନ୍ଧା ପକାଇ ଓ  ସେବା ସମବାୟ ସମିତିରୁ କୃଷି ଋଣ ନେଇ ଧାନଚାଷ କରିଥାନ୍ତି।ହେଲେ ଚଳିତ ବର୍ଷା ଅଭାବରୁ  ଦେଖା ଦେଇଛି ମରୁଡି ପରିସ୍ଥିତି। ବୋଲଗଡ଼ ଅଞ୍ଚଳର ଅର୍ଜୁନ ଜେନା, ମାଗୁଣି ସ୍ୱାଇଁ, ଗୋଲଖ ବିହାରୀ ମାର୍ଥା, ବାସୁଦେବ ପରିଡା, ଗୋବିନ୍ଦ ବେହେରା,ମାନସ ମାନସିଂହ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀମାନେ ବୋଲଗଡ଼ ବ୍ଲକ ଅଞ୍ଚଳଜୁ ମରୁଡି ପ୍ରପୀଡ଼ିତ ଅଞ୍ଚଳ ଘୋଷଣା କରିବାକୁ ଦୃଢ଼ ଦାବି କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ତଥା ଶ୍ରୀଚନ୍ଦନପୁର ସେବା ସମବାୟ ସମିତିର ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ ଚାଷୀମାନଙ୍କର କୃଷି ଋଣ ଛାଡ଼ କରିବାକୁ  ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଶାସନ  ସଚିବଙ୍କୁ ଅନୁରୋଧ କରିଥିବା ସୂଚନା ଦେଇଛନ୍ତି।

Previous Post Next Post