ବିଜିପୁର ଠାରୁ ଲୁଣି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ଶିଳାନ୍ୟାସ କଲେ : ନୟାଗଡ଼ ବିଧାୟକ।

utkalnews7
By
0


ନୟାଗଡ଼,୬।୧୧,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ପୂର୍ତ୍ତ ବିଭାଗ ଅଧିନସ୍ଥ ନୟାଗଡ଼ ପାଟୁଳିସାହି ରାସ୍ତା ଉନ୍ନତୀକରଣ ପାଇଁ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦ କୋଟି ଟଙ୍କା ବ୍ୟୟରେ ରୂପାନ୍ତରିତ ହେବାକୁ ଥିବା ଏହି ରାସ୍ତା ବିକାଶର ପ୍ରତୀକ ହେବ ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏହା ସହ ଶ୍ରୀସାହୁ ବିଭିନ୍ନ ସ୍ଥାନରେ ଏହି ରାସ୍ତା ଶିଳାନ୍ୟାସ ଫଳକକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ ନାଗମୁଣ୍ଡୁଳୀଠାରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ଡ. ସାହୁ ବିଗତ ଦିନର ସ୍ମୃତିକୁ ମନେ ପକାଇ ନୟାଗଡ଼ ବିକାଶରେ ରାସ୍ତାଘାଟ ଉନ୍ନତୀ କରଣ ମୁଖ୍ୟ ମାଧ୍ୟମ ପାଲଟିଥିବା କହିଛନ୍ତି । ନୟାଗଡ଼ ବିଜିପୁରଠାରୁ ଓଡ଼ଗାଁ ବ୍ଲକ ଲୁଣି ପର୍ଯ୍ୟନ୍ତ ଯେକୈାଣସି ଗାଁକୁ ଯିବାରେ ଏବେ ସମସ୍ୟା ନାହିଁ ବୋଲି କହିଛନ୍ତି । ବିଗତ ଦିନରେ ଗାଁ ଗାଁ ମଧ୍ୟ ଥିବା ରାସ୍ତା ଏବଂ ନାଳ ଯାତାୟତରେ ବାଧକ ସାଜୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ତାହାର ବିକାଶ ହୋଇଛି । ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ନିର୍ମାଣ ସରିଥିବା ବେଳେ ଆବଶ୍ୟକ ସ୍ଥାନରେ ପୋଲ ମଧ୍ୟ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମୀ ପରିବର୍ତ୍ତନ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ୫ଟି ଜରିଆରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୂପାନ୍ତରିକରଣ କରାଯାଉଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ମଧ୍ୟ ନବକଳେବର ହେଉଛି । ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳା ସଶକ୍ତି କରଣକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି । ଏହି ସଭାରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ବିକାଶ ପାଇଁ ସମସ୍ତେ ଆଗଭର ହେବାକୁ ଆହ୍ୱାନ ଦେବା ସହ ନିର୍ବାଚନ ବେଳେ ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାକୁ ପ୍ରଦାନରେ ମିଥ୍ୟା ପ୍ରତିଶୃତି ଦେଉଥିବା ଲୋକଙ୍କୁ ସାବଧାନ ରହିବା ଆବଶ୍ୟକ ବୋଲି କହିଛନ୍ତି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ନୟାଗଡ଼ ବିଧାୟକ ବିକାଶର ଅନ୍ୟତମ ସାରଥି ବୋଲି କହିବା ସହ ଅନେକ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ୧୨ କିଲୋମିଟର ଲମ୍ବ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୪ ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଂଞ୍ଜୀବ କୁମାର ବେହେରା, ନିର୍ବାହୀ ଯନ୍ତ୍ରୀ ଅଭିଷେକ ଓଝା, ଯନ୍ତ୍ରୀ କିଶୋର କୁମାର ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*