ଟାଙ୍ଗୀ,୭/୧୧ (ଉତ୍କଳ ନ୍ୟୁଜ୍୭): ଜାତୀୟ ରାଜପଥରେ ଛିନ୍-ତାଇ ଘଟଣାରେ ୫ଜଣଙ୍କୁ ବାନ୍ଧିଛି ଟାଙ୍ଗୀ ଥାନା ପୋଲିସ । ଜାତୀୟ ରାଜପଥରୁ ଗଞ୍ଜାମ ଜିଲ୍ଲା ଖୋଲ୍ଲିକୋଟ ଥାନା ଅଞ୍ଚଳର ବାଇକ ଚାଳକଙ୍କୁ ଟାର୍ଗେଟ କରି ମାରଣାସ୍ତ୍ର ଦେଖାଇ ମୋବାଇଲ ଓ ଭ୍ୟାନେଟି ବ୍ୟାଗ୍ ଝାମ୍ପିଥିଲେ ଲୁଟେରା । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭରସା ଗ୍ରାମର ଗେଲି ସ୍ୱାଇଁ ଓ ତାଙ୍କର ସ୍ୱାମୀ ଗୋଟିଏ ବାଇକ ରେ ଏବଂ ତାଙ୍କର ଭାଇ-ଭାଉଜ ଆଉ ଏକ ବାଇକ ରେ ସନ୍ଧ୍ୟା ସମୟରେ ପୁରୀ ରୁ ନିଜ ଘରକୁ ଫେରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କୁହୁଡ଼ି ଛକ ୧୬ନଂ ଜାତୀୟ ରାଜପଥରେ ମାରଣାସ୍ତ୍ର ଦେଖାଇ ଲୁଟେରା ମାନେ ଗେଲି ସ୍ୱାଇଁଙ୍କ ବାଇକକୁ ଅଟକାଇ ଲୁଟ୍-ପାଟ୍ କରିଥିଲେ ।ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବାପରେ ଘଟଣାର ତଦନ୍ତ କରି ଲୁଟେରାଙ୍କୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ। ଗିରଫ ଲୁଟେରା ମାନଙ୍କ ଠାରୁ ମାରଣାସ୍ତ୍ର ( ଦୁଇଟି ଛୁରୀ ) ଓ ଚୋରି ହୋଇଥିବା ଭ୍ୟାନେଟି ବ୍ୟାଗ୍ ସହିତ ସେଥିରେ ଥିବା ଟଙ୍କା ଜବତ କରିବା ସହ ଲୁଟ୍-ପାଟ୍ ଘଟଣାରେ ଗିରଫ ଲୁଟେରା ମାନେ ବ୍ୟବହୃତ କରିଥିବା ୨ଟି ବାଇକକୁ ମଧ୍ୟ ଜବତ କରିଛି ଟାଙ୍ଗୀ ଥାନା ପୋଲିସ । ଗିରଫ ଲୁଟେରା ମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ମନୁ ବାରିକ , ଦୀପକ ସେଠୀ ,ଶିବ ବାରିକ ଓ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ବିକାଶ ବାରିକ , କୃଷ୍ଣ ବାରିକ ବୋଲି ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଗିରଫ ଲୁଟେରା ମାନଙ୍କୁ ଆଜି ଟାଙ୍ଗୀ ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।