ଭିତ୍ତିଭୂମି ଥାଇ ଅବହେଳିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ !

 


ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ,ମେଡ଼ିକାଲ କଲେଜ ମାନ୍ୟତା ନେଇ : ଦାବିପତ୍ର ପ୍ରଦାନ।



ନୟାଗଡ଼ ,୩୦/୪,(ଉତ୍କଳ ନ୍ୟୁଜ୍୭) : ଏସିଆ ମହାଦେଶର ଦ୍ଵିତୀୟ ବୃହତମ ଯକ୍ଷ୍ମା ଚିକିତ୍ସାଳୟ ଭାବରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଚାନ୍ଦପୁର ର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ପ୍ରସିଦ୍ଧି ଅର୍ଜନ କରିଥିଲା। ୧୯୫୮ମସିହାରେ ରଣପୁର ରାଜମାତା ତଥା ତତ୍ କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ମଞ୍ଜରୀ ଦେବୀଙ୍କ ପ୍ରଚେଷ୍ଟାରେ ଚାନ୍ଦପୁର ଠାରେ ପ୍ରାୟ ୧୧୭ଏକର ପରିମିତ ଜାଗାରେ ଯକ୍ଷ୍ମା ଚିକିତ୍ସା ନିମିତ୍ତ ଏହି ସ୍ଵାସ୍ଥ୍ୟ କେନ୍ଦ୍ରଟି ପ୍ରତିଷ୍ଠା ହୋଇଥିଲା।ଏହି ସ୍ଵାସ୍ଥ୍ୟ କେନ୍ଦ୍ରଟି କୁ ଉଦଘାଟନ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହରେକୃଷ୍ଣ ମହତାବ। ଚିକିତ୍ସା ବିଜ୍ଞାନରେ ଅଭୁତପୂର୍ବ ପରିବର୍ତନ ଘଟିବାରୁ ଯକ୍ଷ୍ମା ରୋଗର ଔଷଧ ପତ୍ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉପଲବ୍ଧ ହେବାରୁ ଏହି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଅତ୍ୟାଧୁନିକ ହସ୍ପିଟାଲରେ ପରିଣତ କରବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବିହେବା ଫଳରେ ପୂର୍ବତନ ରାଜ୍ୟ ସରକାର ଏହାକୁ ୨୦୧୪ମସିହାରେ ସାଧାରଣ ହସ୍ପିଟାଲରେ ପରିଣତ କରି ପର୍ଯ୍ୟାପ୍ତ ଅର୍ଥ ବ୍ୟୟରେ ଅତ୍ୟାଧୁନିକ କୋଠାବାଡି, ଆବଶ୍ୟକ ପରୀକ୍ଷାଗାର,କର୍ମଚାରୀଙ୍କ କ୍ଵାଟର ଇତ୍ୟାଦି ଯୁଦ୍ଧକାଳୀନ ଭିତିରେ ନିର୍ମାଣ କଲେ।ଅଥଚ ଆବଶ୍ୟକତା ଅନୁସାରେ ବିଶେଷଜ୍ଞ ଡାକ୍ତର, ଯନ୍ତ୍ର ବିଶେଷଜ୍ଞ କର୍ମଚାରୀଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ବିଭିର୍ଣ୍ଣ ବିଭାଗରେ ଅତ୍ୟାଧୁନିକ ଯନ୍ତ୍ରପାତି କିଣା ଯାଇଥିଲେ ମଧ୍ୟ ତାହା ବ୍ୟବହୃତ ନହୋଇ ଖତ ହେବାକୁ ବସିଲାଣି ଏଠାରେ ଅବସ୍ଥାପିତ ସୁପରିଟେଣ୍ଡେଣ୍ଟ ଡ଼ଃ ତ୍ରିଲୋଚନ ବାରିକ ମାସକୁ ଦିନେ ଦୁଇଦିନ ଆସିବା ଯୋଗୁ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି।ଏହି ହସ୍ପିଟାଲଟି ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବେଳେ ପୂର୍ବତଟ ରେଳପଥର କାଳୁପଡାଘାଟ ଷ୍ଟେସନ ଠାରୁ ମାତ୍ର ୫କିଲୋମିଟର ଦୂରରେ ରହିଛି। ପୂର୍ବ ସରକାର ଏହାକୁ ସାଧାରଣ ହସ୍ପିଟାଲରେ ପରିଣତ କରି ଏଠାରେ ଟ୍ରମା କେୟାର କେନ୍ଦ୍ର ସ୍ଥାପନ ହେବା ଘୋଷଣା କରି ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ କାର୍ଯ୍ୟକାରୀ କରିପାରିଲେ ନାହିଁ।ସୂଚନା ଯୋଗ୍ୟ, ଏଠାରେ ଆବଶ୍ୟକ ଭିତ୍ତିଭୂମି ଥିବାରୁ ରାଜ୍ୟ ସରକାର ଘରୋଇ ସହ ଭାଗିତାରେ ମେଡିକାଲ କଲେଜ କରିବାକୁ ୨୦୧୬ମସିହାରେ ଆନୁସଙ୍ଗିକ ବ୍ୟବସ୍ଥା ପ୍ରାୟତଃ ଶେଷ କରିଦେଇଥିଲେ।ଏହି ଖବର ପାଇବା ପରେ ଅଞ୍ଚଳବାସୀ ଏହାକୁ ବିରୋଧ କରି ସରକାରଙ୍କ ଦ୍ୱାରା ମେଡିକାଲ କଲେଜ ହେବା ଦାବୀ କରି ଏହାକୁ କରେଇ ଦେଇନଥିଲେ। ପ୍ରତ୍ୟେକ ରାଜସ୍ବ ଜିଲ୍ଲାରେ ଏକ ମେଡିକାଲ କଲେଜ ସ୍ଥାପନ ନିମିତ୍ତ ସରକାରଙ୍କ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିବା ପରିପ୍ରେକ୍ଷିରେ ଏଠାରେ ସମସ୍ତ ଭିତ୍ତିଭୂମି ଓ ସୁବିଧା ରହିଥିବା ହେତୁ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ ପୁରୀ, ନୟାଗଡ଼, ଖୋରଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଦାବି ହୋଇଆସୁଛି। ଏନେଇ ଚାନ୍ଦପୁର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଅଞ୍ଚଳ ବାସୀଙ୍କର ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯାଇଛି।ଆଜି ଅପରାହ୍ନ ସମୟରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରମୁଖ ଏହି ଚିକିତ୍ସାଳୟ ପରିଦର୍ଶନ ରେ ଆସିଥିଲେ।ଏହି ଅବସର ରେ ନାଗରିକ ମଞ୍ଚ ସଭାପତି ଧନେଶ୍ୱର ଅଗ୍ରୱାଲାଙ୍କ ନେତୃତ୍ୱରେ ଅଂଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ରାଜନୈତିକ ନେତା ମିଳିତ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରଣପୁର ବିଧାୟିକା ତଥା ବାଚସ୍ପତିଙ୍କୁ ସାକ୍ଷାତ କରି ଏହି ଚିକିତ୍ସାଳୟକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବା ସହିତ ଏହାକୁ ମେଡିକାଲ କଲେଜ ରେ ପରିଣତ କରିବା ପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନା କରିଥିବା ଜଣାପଡ଼ିଛି। ଏହି ସମୟରେ ବିପିନ ବିହାରୀ ନାୟକ, ମନୋଜ ଦାସ, ନାରାୟଣ ମହାପାତ୍ର,ସୁବର୍ଣ୍ଣ ସିଂ, ପଦ୍ମନାଭ ବିଶ୍ୱାଳ, ବିଜୟ କୁମାର ମହାପାତ୍ର, ସନ୍ତୋଷ ନାୟକପ୍ରମୁଖ ଉପସ୍ଥିତ ରହି ଚିକିତ୍ସାଳୟର ଅସୁବିଧା ଓ ଏହାର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ।
Previous Post Next Post