ସିସୋର୍‌ ଚିଟ୍‌ଫଣ୍ଡ୍‌ ଠକେଇ ମାମଲା,ପ୍ରଶାନ୍ତ ଦାସଙ୍କ ନାଁରେ ଥାନାରେ ଥିବା ୧୯ ମାମଲା ସିବିଆଇ କୋର୍ଟକୁ ଆସିବନି : ଆବେଦନ ଖାରଜ କଲେ ହାଇକୋର୍ଟ ।

utkalnews7
By
0


କଟକ, ୧୫।୦୭,(ଉତ୍କଳ ନ୍ୟୁଜ୍୭)  : ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିସୋର୍‌ ଚିଟ୍‌ଫଣ୍ଡ୍‌ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାଶଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ୧୯ଟି ମାମଲା ସିବିଆଇକୁ କୋର୍ଟକୁ ସ୍ଥାନାନ୍ତର ନେଇ ହୋଇଥିବା ଆବେଦନକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ସମସ୍ତ ମାମଲା ସିବିଆଇ କୋର୍ଟରେ ଶୁଣାଣି ପାଇଁ ପ୍ରଶାନ୍ତ ଦାଶଙ୍କ ପକ୍ଷରୁ ରୁଜୁ ପିଟିସନ୍‌କୁ ହାଇକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି । ଚିଟ୍‌ଫଣ୍ଡ ଠକେଇ ନେଇ ପ୍ରଶାନ୍ତଙ୍କ ବିରୋଧରେ ୪୧ଟି ମାମଲା ରୁଜୁ ହୋଇଛି । ସେଥିରୁ ୨୨ଟିର ତଦନ୍ତ ସିବିଆଇ କରିଥିବା ବେଳେ ୧୯ଟିର ତଦନ୍ତ ଭାର ଓଡ଼ିଶା ପୁଲିସ୍‌ ହାତରେ ରହିଥିଲା । ଏହି ୧୯ଟି ମାମଲାର ଶୁଣାଣି ମଧ୍ୟ ସିବିଆଇ କୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦେବାକୁ  ପ୍ରାର୍ଥନା କରି ପ୍ରଶାନ୍ତ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ତେବେ ଏହି ଘଟଣାର ବିଚାର କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଶୁକ୍ରବାର ଏହି ପିଟିସନ୍‌କୁ ଖାରଜ କରିଛନ୍ତି । ଶୁଣାଣି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟକିଆ ଦର୍ଶାଇଥିଲେ, ଯେଉଁ ମାମଲା ସିବିଆଇ ଦ୍ୱାରା ତଦନ୍ତ ହେବ, ସେହି ମାମଲା ସିବିଆଇ କୋର୍ଟରେ ବିଚାର ହୋଇପାରିବ । ପୁଲିସ୍‌ ଦ୍ୱାରା ଯେଉଁ ମାମଲା ତଦନ୍ତ ହେବ ତାହା ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇପାରିବ ନାହିଁ । ଅପରପକ୍ଷରେ ପୂର୍ବରୁ ସମାନ ପ୍ରାର୍ଥନାରେ ଆବେଦନକାରୀ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍‌କୋର୍ଟ ଆବେଦନକାରୀଙ୍କ ପିଟିସନ୍‌ ଅଗ୍ରାହ୍ୟ କରିଥିଲେ । ଏହି ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରି ପ୍ରଶାନ୍ତଙ୍କ ପିଟିସନ୍‌ ଖାରଜ କରିଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*