ଖୁଣ୍ଟାତଡ଼ା ରଜା ରୁ ଦଶପଇସାର ରଜା- ଦାସିଆ ଅଜାଙ୍କ ୧୧୮ତମ ଜୟନ୍ତୀ ପାଳିତ।

utkalnews7
By
0

 


ନୟାଗଡ଼,୧୨।୭,(ଉତ୍କଳ ନ୍ୟୁଜ୍୭ ) : ପାଖରେ ନଥିଲା ପଇସା, ହେଲେ ବହି ପଢ଼ିବା ଥିଲା ତାଙ୍କର ଏକ ନିଶା। ସେ ଥିଲେ ଜଣେ ଏପରି ପାଠକ ଓ ସଂଗ୍ରହାକ ଯାହାଙ୍କ ପାଠାଗାରରେ ଚନ୍ଦ୍ର ପୃଷ୍ଠର ବିରଳ ପଥର ଠାରୁ ଆରମ୍ଭ କରି ରାଣି ଭିକ୍ଟୋରିଆଙ୍କ ୧୮୦୨ ମସିହାର ସ୍ବର୍ଣ୍ଣ ମୁଦ୍ରା ରହିଛି। ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯେ ହେଉଛନ୍ତି ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ପ୍ରବାଦ ପୁରୁଷ ସାରସ୍ବତ ସାଧକ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକ । 


ଯେ କି ୧୯୦୭ ମସିହା ଆଜିର ଦିନରେ  ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ମଫସଲିଆ ଗାଁ ଉଦୟପୁରରେ ଜନ୍ମ ଗ୍ରହଣ କରିଥିବା ଦାଶରଥିଙ୍କୁ ଦଶ ପଇସାର ରାଜା ଦାସିଆ ଅଜା ବୋଲି ସାରା ଓଡ଼ିଶାରେ ପୁରପଲ୍ଲୀରେ ପରିଚିତ ଥିଲେ ସେ ୧୯୯୭ ମସିହା ସେପ୍ଟେମ୍ବର ୧୨ତାରିଖରେ ପରଲୋକ ଗମନ କରିଥିଲେ।। ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢ଼ା। ପ୍ରାରମ୍ଭିକ ଜୀବନରେ ପେଟପାଟଣା ପାଇଁ ସେ ବିଭିନ୍ନ ଛୋଟମୋଟ ସରକାରୀ ଚାକିରି କରିଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନ ହୋଇ ଗାଁକୁ ଫେରି ପାହାଡ଼ିଆ ଅନୁର୍ବର ଜମିରୁ ନିଜେ ଖୁଣ୍ଟାତାଡ଼ି ଏହାକୁ ଚାଷଜମି ରୂପେ ପ୍ରସ୍ତୁତ କରି ନିଜର ତେଲଲୁଣ ସଂସାରକୁ ଚଳାଇଥିଲେ। ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ। 


ଦ୍ବିପ୍ରହର ବିଶ୍ରାମ ସମୟରେ ବହି ପଢ଼ିବା ଥିଲା ତାଙ୍କର ଏକ ନିଶା। କାଲି କ’ଣ ପଢ଼ିବି? ଆଉ ବହି, ପତ୍ରିକା କେଉଁଠାରୁ ପାଇବି? ଏହି ବହି ପଢ଼ିବା ନିଶାରୁ ଆରମ୍ଭ କଲେ ସେ ପୁସ୍ତକ ଭିକ୍ଷାର ଓଡ଼ିଶା ଯାତ୍ରା। ଗାଁ ଗଣ୍ଡା, ସହର ବଜାର, ଦ୍ବାରଦ୍ବାର ଘୂରି ବୁଲିଲେ।ପାଲଟି ଗଲେ ଓଡ଼ିଶାର ସର୍ବଶ୍ରେଷ୍ଠ ଭିକାରି। ଅଧା ଲଙ୍ଗଳା ବେଶ, ଗୋଟିଏ ଆଖି ନାହିଁ, ହାତରେ ଗୋଟାଏ ଠେଙ୍ଗା, କାନ୍ଧରେ ଏକ ଝୁଲାମୁଣି, ଆଉ ଆଖିରେ ଆଖିଏ ସ୍ବପ୍ନ। ଦୁଇଖଣ୍ଡ ଶୁଖିଲା ରୁଟି ଓ ଦୁଇମୁଠା ଚୁଡ଼ା, ମୁଠାଏ ମୁଢ଼ି ଓ କପେ ନାଲି ଚା ଥିଲା ତାଙ୍କର ଖାଦ୍ୟ ପ୍ରଣାଳୀ। ଜୀବନ ପ୍ରଣାଳୀ ଥିଲା ଅତି ସରଳ ଓ ସାଧାରଣ। ଜୀବନର ଅବସର ସମୟରେ ଦାସିଆ ଅଜା ଆରମ୍ଭ କରିଥିଲେ ସାଧନା। ଜୀବନର ପାହାଚରେ ଉଠି ଯାଇଥିଲେ ସେ ବହୁ ଊର୍ଦ୍ଧ୍ବକୁ। ହାତପାତି ମାଗିଲେ ସମସ୍ତଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥୀ ଏବଂ ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଏବଂ ଦଶପଇସାର ଭିକ୍ଷା। ବୟସ ହାର ମାନିଲା ତାଙ୍କ ପାଖରେ। ଜାତି ପାଇଁ ମାଗିଯାଚି ସୃଷ୍ଟି କଲେ ଏକ ମହାନ ସାଂସ୍କୃତିକ ସମ୍ଭାର। ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ବ ପୋଷ୍ଟ କାର୍ଡ ଲେଖିବା ଥିଲା ତାଙ୍କର ଏକ ନିଶା । କବି, ଲେଖକ, ସାହିତ୍ୟିକମାନଙ୍କ ପାଇଁ ଏହି ପୋଷ୍ଟକାର୍ଡ ଥିଲା ଏକ ପ୍ରେରଣା।କାହା ପାଖରେ କିଛି ବହି, ତାଳପତ୍ର ପୋଥି, ପତ୍ରପତ୍ରିକା, ପୁରାତନ ଜିନିଷ ଅଛି ବୋଲି ଶୁଣି ଦେଲେ ଅତି ସାଧାରଣ ଜୀବନ ଯାପନ କରୁଥିବା ସରଳ ମଣିଷଟି ଦୌଡ଼ି ଯାନ୍ତି ସେହି ବ୍ୟକ୍ତିଙ୍କ ନିକଟକୁ। ଦୁଆରେ ବସି ରୁହନ୍ତି ଜିନିଷକୁ ପାଇବା ଯାଏ। ସେହି ଜିନିଷକୁ ନ ପାଇଲେ ଦୁଆରୁ ଯିବି ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦିଅନ୍ତି। ବାର ଦୁଆର ବୁଲି ବୁଲି ପୁରାତନ ସାମଗ୍ରୀକୁ ମାଗି ଗଡ଼ି ତୋଲିଲେ ସଂଗ୍ରହାଳୟ ଓ ପାଠଗାର ଆଉ ଓଡିଆ ଜାତି ପାଇଁ ସୃଷ୍ଟି କଲେ ଏକ ମହାନ ସମ୍ଭାର। 


ଆଜି ଦାସିଆ ଅଜାଙ୍କ ସେହି ସଂଗ୍ରହାଳୟରେ ସ୍ଥାନ ପାଇଛି ଚନ୍ଦ୍ର ପୃଷ୍ଠର ବିରଳ ପଥର, ରାଣି ଭିକ୍ଟୋରିଆଙ୍କ ୧୮୦୨ ମସିହାର ସ୍ବର୍ଣ୍ଣ ମୁଦ୍ରା ଓ ପଣ୍ଡିତ ଗୋପବନ୍ଧୁ ଦାସ ୧୯୩୦ରେ ବ୍ୟବହାର କରୁଥିବା ବାକ୍ସ ଭଳି ଅନେକ ବିରଳ ସାମଗ୍ରୀ। ଏପରି ଜଣେ ପ୍ରବାଦ ପୁରୁଷଙ୍କ ଚରଣରେ "ଉତ୍କଳ ନ୍ୟୁଜ୍୭" ପରିବାରର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

Post a Comment

0 Comments

Please Select Embedded Mode To show the Comment System.*