ରାଜଧାନୀରେ ଦିଲ୍ଲୀ ସ୍ପେଶାଲ୍‌ ବ୍ରାଞ୍ଚର ଚଢ଼ାଉ ଆତଙ୍କୀ ଗିରଫ : ଲାପଟପ୍‌ ଓ ମୋବାଇଲ ଜବତ ।



ଭୁବନେଶ୍ୱର, ୧୧/୦୪: ରାଜଧାନୀର ୟୁନିଟ୍-୬ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଆତଙ୍କୀ ଶୁକ୍ରବାର ଗିରଫ ହୋଇଛି । ଏହି ଆତଙ୍କୀ ଯୁବକୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିବା ପରେ ପୁଣି ଓଡ଼ିଶା ଆତଙ୍କବାଦୀଙ୍କର ଏକ ନିରାପଦ ଆଶ୍ରୟସ୍ଥଳ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ସ୍ପେଶାଲ୍ ବ୍ରାଞ୍ଚ ଗିରଫ କରି ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍  ରିମାଣ୍ଡରେ ଦିଲ୍ଲୀ ନେଇଯାଇଛି । ମିଳିଥିବା ସୂଚନା ମୁତାବକ ଏହି ଯୁବକ ଜଣକ କିଛି ମାସ ହେବ ୟୁନିଟ୍-୬ ଅଞ୍ଚଳର ଏକ ବସ୍ତିରେ ଘରଭଡ଼ା ନେଇ ରହୁଥିଲା । ସେଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ଉତ୍ତେଜକ ସ୍ଲୋଗାନମାନ ପୋଷ୍ଟ କରୁଥିଲା । ଏହା ବାବଦରେ ଯୁବକ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଏହି ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଏଠାରେ ରହି ଏଭଳି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିଲେ ତା’ର ଖୋଳତାଡ଼ କରିବା ଲାଗି ସ୍ପେଶାଲ୍ ବ୍ରାଞ୍ଚ ତାକୁ ଦିଲ୍ଲୀ ନେଇଛି । ତା'ଠାରୁ ଲାପଟପ୍, ମୋବାଇଲ୍ ଜବତ ହୋଇଛି । ଯୁବକଙ୍କ ସମ୍ପର୍କରେ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ କିଛି କହି ନାହାନ୍ତି ।ସୂଚନାଯୋଗ୍ୟ, ୨୦୧୫ ଡିସେମ୍ବରରେ ସାଲେପୁର ପଶ୍ଚିମକଚ୍ଛର ଅବଦୁର ରେହମାନକୁ କମିଶନରେଟ୍ ପୁଲିସ ସହାୟତାରେ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚ ଗିରଫ କରିଥିଲା । ରେହମାନ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ସୁରାକ ପାଇବା ପରେ ତାକୁ ଗିରଫ କରାଯାଇଥିଲା । ଏବେବିତା’ର ମାମଲା ବିଚାରାଧୀନ ରହିଛି । ସେ ବହୁବାର ବିଦେଶ ଗସ୍ତ କରିଥିଲା । ତା ପାଖକୁ ବିଦେଶରୁ ପାଣ୍ଠି ଆସୁଥିଲା । ସେହିପରି ଏହି ସଂଖ୍ୟାଲଘୁ ଯୁବକରାଜଧାନୀରୁ ଗିରଫ ହେବା ପରେ ଘଟଣାଟି ସମ୍ବେଦନଶୀଳ ହୋଇପଡ଼ିଛି। ଉକ୍ତଯୁବକ ଜଣକ କୌଣସି ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତଥିବା ନେଇ ସନ୍ଦେହ କରାଯାଉଛି । ଗତ କିଛି ଦିନ ଧରି ଏହି ଯୁବକଙ୍କ ଉପରେସ୍ପେଶାଲ୍ ବ୍ରାଞ୍ଚ ନଜର ରଖିଥିଲା ।ଏହି ଘଟଣା ପରେ କମିଶନରେଟ୍ ପୁଲିସ ଅଧିକ ସତର୍କ ହୋଇପଡ଼ିଛି।

Post a Comment

0 Comments